Categories: ଜାତୀୟ

କୋର୍ଟରେ ଚାଲିଥିଲା ଶୁଣାଣି, ହଠାତ୍‌ ବଡ଼ ପାଟିରେ କହିଲେ କେଜରିଓ୍ବାଲ, ମାଇଲର୍ଡ ମୋତେ ଭୋକ ଲାଗୁଛି…

ନୂଆଦିଲ୍ଲୀ,୨୮।୮: ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ବର୍ତ୍ତମାନ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲେ। ଏହି ସମୟ ମଧ୍ୟରେ ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ ଦାଖଲ କରିଥିଲା। ସିବିଆଇ ଅଭିଯୋଗ ଆଣିଛି ଯେ କେଜରିଓ୍ବାଲ ଇଚ୍ଛା ଅନୁଯାୟୀ ମଦ ସ୍କାମରୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କେଜରିଓ୍ବାଲ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ତେବେ ଶୁଣାଣିବେଳେ କେଜରିଓ୍ବାଲ ବିଚାରପତିଙ୍କୁ ଏପରି କଥା କହିଥିଲେ ଯେ ମଝିରେ ଶୁଣାଣି ବନ୍ଦ ହୋଇଯାଇଥିଲା।

ଅରବିନ୍ଦ କେଜରିୱାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ପ୍ରକ୍ରିୟାରେ ଭାଗ ନେଇଥିଲେ। ମଙ୍ଗଳବାର ଚାଲିଥିବା ପ୍ରକ୍ରିୟା ସମୟରେ ସିବିଆଇ ଦିଲ୍ଲୀ ସିଏମଙ୍କ ବିରୋଧରେ ଯୁକ୍ତି ବାଢୁଥିଲା। ତା’ପରେ କେଜରିୱାଲ ବାଧା ଦେଇ କୋର୍ଟରେ କହିଥିଲେ, ମାଇଲର୍ଡ ମୋର ସୁଗାର କମିବାରେ ଲାଗିଛି। ମୋତେ ଭୋକ ଲାଗୁଛି ମୋତେ ଖାଇବାକୁ ପଡ଼ିବ। ଏହା ପରେ ଶୁଣାଣିକୁ ମଝିରେ ଅଟକାଇବାକୁ ପଡିଥିଲା।

ସିବିଆଇ ଦିଲ୍ଲୀ କୋର୍ଟରେ ଦାବି କରିଛି ଯେ, ଦିଲ୍ଲୀର ମଦ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ କେଜରିଓ୍ବାଲ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିଛନ୍ତି। ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପ୍ରତ୍ୟେକଙ୍କୁ ୯୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଦୁର୍ନୀତି ମାମଲାରେ କେଜରିଓ୍ବାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବଢେଇଥିବା ସିବିଆଇ ଯୁକ୍ତି କରିଛି।

Share