ହୃଦ୍‌ରୋଗୀ ନିଜକୁ ଦେଇ ପାରିବେ ସୁରକ୍ଷା

ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ସମୟରେ ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି ଚିକିତ୍ସାରେ କୌଣସି ପ୍ରକାର ବିଳମ୍ବ କରିବା ଉଚିତ ନୁହେଁ। ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର ବରିଷ୍ଠ କନ୍‌ସଲ୍‌ଟାଣ୍ଟ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡା.ଗିରିଧର ଜେନାଙ୍କ ସମେତ ଅଗ୍ରଣୀ କାର୍ଡିଓଲୋଜିଷ୍ଟଙ୍କ ଏକ ଗୋଷ୍ଠୀ ପକ୍ଷରୁ ବିବୃତ୍ତିରେ କୁହାଯାଇଛି।
ହୃଦ୍‌ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଶାରିରୀକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର। ଏଥିସହ ” ବ୍ୟାୟାମ କରିବା, ଯୋଗାଭ୍ୟାସ, ପୁଷ୍ଟିକର ଖାଦ୍ୟ, ନିଦ୍ରା, ଔଷଧ ନିୟମିତ ଖାଦ୍ୟ, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ହୃଦ୍‌ରୋଗୀମାନେ ନିଜକୁ ସୁସ୍ଥ ରଖିବା ସହ କରୋନା ସଂକ୍ରମଣରୁ ମଧ୍ୟ ନିଜକୁ ସୁରକ୍ଷା ଦେଇପାରିବେ ବୋଲି କୁହନ୍ତି ମୁଖ୍ୟ ହୃଦ୍‌ରୋଗ ବିଶେଷଜ୍ଞ ଡା. ତ୍ରିପାଠୀ।“
ଅପରପକ୍ଷରେ ଏକ ତଥ୍ୟ ଅନୁସାରେ ଏବେ ହସ୍ପିଟାଲଗୁଡ଼ିକରେ ଜଟିଳ ହୃଦ୍‌ଘାତ ଆନ୍ତଃରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଏହା ଏଭଳି ଏକ ଜଟିଳ ମେଡିକାଲ ସମସ୍ୟା ଯେଉଁଥିପାଇଁ ଜୀବନ ରକ୍ଷାକାରୀ ଚିକିତ୍ସା ଦରକାର। ଏସମ୍ପର୍କରେ ଡା.ଜେନା, କୁହନ୍ତି ”କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ହୃଦ୍‌ ଓ ତତ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ପ୍ରାୟ ଅଧା ରୋଗୀ ମେଡିକାଲ୍‌ ଚିକିତ୍ସା ପାଇବାକୁ କଷ୍ଟକର ଅନୁଭବ କରୁ୍‌ଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ହୃଦ୍‌ଘାତ ଯୋଗୁଁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିନ୍ତାର କାରଣ ହେଉଛି ଗମ୍ଭୀର ହୃଦ୍‌ ସମସ୍ୟା ସତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି ଯାହା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଛି।“