Advertisement

ମନ୍ଦିରର ଐତିହ୍ୟ କରିଡର ହେବ ବିକାଶ: ସେବାୟତଙ୍କ ସହ ଆଲୋଚନା କଲେ ଜିଲାପାଳ

ସାକ୍ଷୀଗୋପାଳ, ୧। ୯(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରର ଐତିହ୍ୟ କରିଡର ବିକାଶ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀଠାରୁ ମନ୍ଦିରର ଚତୁଃପାର୍ଶ୍ୱ ଉନ୍ନୟନ ସହିତ ଐତିହାସିକ ବକୁଲବନ, ପଞ୍ଚଶଖା ସ୍ମୃତି ପାଠାଗାର ଖେଳପଡିଆ ଶ୍ରୀ ସିଦ୍ଧବଖୁଳ ପୀଠକୁ ଏହି ବିକଶିତ ପ୍ରକଳ୍ପରେ ସାମିଲ କରାଯିବ। ଏହାକୁ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ଗୁରୁବାର ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପର ରୂପରେଖ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପ୍ରକଳ୍ପରେ କ୍ଷତିଗ୍ରସ୍ତ ସେବାୟତ ପରିବାରଙ୍କ ଥଇଥାନ ପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ କହିଥିଲେ। ଏଥିପାଇଁ ଜିଲାପାଳ ସେବାୟତଙ୍କ ସହଯୋଗ ଲୋଡିଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ଜୟନ୍ତ କୁମାର ଜୟସିଂ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ଓଡ଼ିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ, ସହକାରୀ ନିର୍ବାହୀଯନ୍ତ୍ରୀ ଗିରିଜା ଶଙ୍କର ନାୟକ, ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share