ଓଡ଼ିଶାର ଐତିହ୍ୟକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ: ସୁର

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ‘ଐତିହ୍ୟ ଘୋଡ଼ା’ ମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର ନେଇ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ କଂଗ୍ରେସର ବହୁ ନେତା ଘୋଡ଼ା ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଏହି ଐତିହ୍ୟ ଘୋଡ଼ା ପ୍ରତିମୂର୍ତ୍ତି ରାଜ୍ୟ ସରକାରଙ୍କ ଏକ ପ୍ରତୀକ। ଓଡ଼ିଶାର ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ଚିହ୍ନଟ କରୁଥିବା ଏହି ଘୋଡ଼ା ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ସୁର କହିଛନ୍ତି। ସ୍ଥାନାନ୍ତର ବେଳେ ତୀବ୍ର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୯୮୮ ମସିହାରେ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ହୋଇଥିବା ଏହି ଘୋଡା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ମାର୍ଟସିଟି ଓ ବିଏମ୍‌ସି ପକ୍ଷରୁ ୬ ମାସ ତଳେ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଥିଲା। ଯାହା ଉପରେ ସଂସ୍କୃତି ବିଭାଗ ଏବେ ମୋହର ମାରିଛି। ଏହା ସହ ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନଠାରେ ମଲଟି ମୋଡାଲ ହବ୍‌ ହେବା ନେଇ ଯୋଜନା ଥିବାରୁ ଏହାର ସ୍ଥାନାନ୍ତରଣ ଜରୁରୀ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ମଲଟି ମୋଡାଲ ହବ୍‌ ହେବା ପରେ ଏହି ଘୋଡ଼ା ଲୁଚି ଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

Share