କାଲିର ନାୟକ ଆଜି ଖଳନାୟକ

କଲମ୍ବୋ,୧୬ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ? ୨୦୦୫ରେ ମହିନ୍ଦା ରାଜପାକ୍ସେ ପ୍ରଥମେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଦ୍ୱୀପରାଷ୍ଟ୍ରର ରାଜନୀତିରେ ଆଧିପତ୍ୟ ବିସ୍ତାର କରିଥିବା ପ୍ରଭାବଶାଳୀ ରାଜପାକ୍ସେ ପରିବାରକୁ? ମହିନ୍ଦାଙ୍କୁ ତୃତୀୟ ଥର ରାଷ୍ଟ୍ରପତି ହେବାରେ ବାଧା ଦେଇଥିବା ସମ୍ବିଧାନ ସଂଶୋଧନକାରୀ ତାଙ୍କ ଭାଇ ଗୋଟାବାୟା ରାଜପାକ୍ସେଙ୍କୁ? ନା ଏହି ପରିବାରର ନେତୃତ୍ୱକୁ ସହୃଦୟେ ଗ୍ରହଣ କରିନେଇଥିବା ସିଂହଳୀ ବୌଦ୍ଧ ମତଦାତାଙ୍କୁ? ଗୋଟାବାୟା ରାଜପାକ୍ସେ ଦେଶ ଛାଡ଼ି ପଳାୟନ କରିବା ପରେ ଶ୍ରୀଲଙ୍କାର ରାଜନୈତିକ ବିଶ୍ଲେଷକମାନେ ଏବେ ଏଭଳି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି। କାରଣ ଏକଦା ଶ୍ରୀଲଙ୍କାର ‘ତ୍ରାଣକର୍ତ୍ତା’ ବିବେଚନା କରାଯାଉଥିବା ରାଜପାକ୍ସେ ଭ୍ରାତା ଏବେ ଲୋକଚକ୍ଷୁରେ ଖଳନାୟକ ପାଲଟିଯାଇଛନ୍ତି। ଇତିମଧ୍ୟରେ ବିବାଦୀୟ ‘ରାଜପାକ୍ସେ’ ପରିବାରକୁ ଶୁକ୍ରବାର ଆଉ ଏକ ବଡ଼ ଝଟ୍‌କା ଲାଗିଛି।
ନେତା ଗୋଟାବାୟା ରାଜପାକ୍ସେ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିବା ପରେ ତାଙ୍କ ଦୁଇଭାଇଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଓ ପ୍ରାକ୍ତନ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେ ଜୁଲାଇ ୨୮ ପର୍ଯ୍ୟନ୍ତ ଦେଶ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅନ୍ତରୀଣ ରାୟ ଦେଇଛନ୍ତି। ଗତ ମେ’ ୯ରେ ଦେଶର ଆର୍ଥିକ ସଙ୍କଟ ପାଇଁ ମହିନ୍ଦାଙ୍କୁ ଦାୟୀ କରି ବିକ୍ଷୋଭକାରୀମାନେ ତାଙ୍କ ଘର ଓ ଅଫିସକୁ ଟାର୍ଗେଟ କରିଥିଲେ। ଏହା ପରେ ମହିନ୍ଦା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି। ଆମତ୍ନିର୍ବାସନରେ ଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଦୁଇଭାଇଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରାଯାଉ ବୋଲି ଟ୍ରାନ୍ସପରରେନ୍ସି ଇଣ୍ଟରନ୍ୟାଶନାଲ ଶ୍ରୀଲଙ୍କା (ଟିଆଇଏସ୍‌ଏଲ୍‌) ଏବଂ ଅନ୍ୟ ୩ ଆବେଦନକାରୀ ପିଟିଶନ ଦାଏର କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟାବାୟାଙ୍କୁ ଶାସକ ଦଳର ପ୍ରଶଂସା

ଦ୍ୱୀପରାଷ୍ଟ୍ରର ଶାସକ ଶ୍ରୀଲଙ୍କା ପୋଦୁଜନ ପେରାମୁନା ପାର୍ଟି (ଏସ୍‌ଏଲ୍‌ପିପି) ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି। ଦେଶରେ ଦୀର୍ଘ ୩୦ ବର୍ଷ ଧରି ଚାଲିଥିବା ତାମିଲ ଇଲମ୍‌ ବିଦ୍ରୋହୀଙ୍କ ଉଗ୍ରବାଦର ଅବସାନ ଘଟାଇବାରେ ଗୋଟାବାୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଏସ୍‌ଏଲ୍‌ପିପି ପକ୍ଷରୁ କୁହାଯାଇଛି। ଦଳର ସାଧାରଣ ସମ୍ପାଦକ ସାଗର କରିୟାଓ୍ବାସମ୍‌ କାମଚଳା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛି।

Share