‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଏହାସତ୍ତ୍ୱେ କ୍ୟାଟ୍ରିନାଙ୍କୁ ନାଚ ଜଣା ନାହିଁ ବୋଲି ନାୟିକା ଜଣଙ୍କ ସ୍ବୀକାର କରିଛନ୍ତି। କ୍ୟାଟ୍ରିନାଙ୍କ ନାଚକୁ ନେଇ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ୟୁଜରମାନଙ୍କ ଭିତରେ କଥା କଟାକଟି ହେଉଥିବାର ମଧ୍ୟ ଦେଖିବାକୁ ମିଳେ। ତେବେ ସତରେ କ୍ୟାଟ୍ରିନାଙ୍କୁ ନାଚ ଆସେନାହିଁ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଲୋକେ ଯାହା କହୁଛନ୍ତି ତାହା ନିରାଟ ସତ୍ୟ। ଯେତେବେଳେ ନୂଆ କରି କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ସେ ସମୟରେ ନାଚକୁ ନେଇ ତାଙ୍କର କୌଣସି ଜ୍ଞାନ ନ ଥିବା ସେ କହିଛନ୍ତି। କିନ୍ତୁ କୋରିଓଗ୍ରାଫର୍‌ ବୋସ୍କୋ ତାଙ୍କୁ ନୃତ୍ୟ କ୍ଷେତ୍ରରେ ଅନେକ ସାହାଯ୍ୟ କରିଥିବା ସେ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି। ବଲିଉଡ୍‌ର ବହୁ କୋରିଓଗ୍ରାଫରଙ୍କ ସହ ସେ କାମ କରିଥିଲେ ହେଁ ବୋସ୍କୋ ପ୍ରଥମେ କ୍ୟାଟ୍ରିନାଙ୍କୁ ନୃତ୍ୟର ଅଙ୍ଗଭଙ୍ଗୀ ଶିଖାଇଥିଲେ। ସେ ଜଣେ ଭଲ ଡ୍ୟାନ୍ସର ହୋଇପାରିବେ ଏବଂ ଏଥିଲାଗି ତାଙ୍କୁ ପରିଶ୍ରମ କରିବାକୁ ପଡ଼ିବ ବୋଲି ବୋସ୍କୋ ପରାମର୍ଶ ଦେଇଥିଲେ। ଧୀରେ ଧୀରେ କ୍ୟାଟ୍ରିନା ନାଚ ଅଭ୍ୟାସ କରିବା ଆରମ୍ଭ କରିଥିଲେ, ଆଉ ଏବେ ସେ ବଲିଉଡ୍‌ର ଜଣେ ଭଲ ଡ୍ୟାନ୍ସର ଭାବେ ଜଣାଯାଉଛନ୍ତି। ନଭେମ୍ବର ୪ରେ ‘ଫୋନ୍‌ ଭୂତ’ ନାମରେ କ୍ୟାଟ୍ରିନାଙ୍କ ଏକ ଫିଲ୍ମ ରିଲିଜ୍‌ ହେବାକୁ ଅଛି। ଏଥିରେ ଇଶାନ ଖତର ଓ ସିଦ୍ଧାର୍ଥ ଚର୍ତୁବେଦୀ ମଧ୍ୟ ନଜରକୁ ଆସିବେ। କିଛିଦିନ ପୂର୍ବରୁ ଫିଲ୍ମର ଟାଇଟଲ ଟ୍ରାକ୍‌ ରିଲିଜ୍‌ କରାଯାଇଛି। ଗତବର୍ଷ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନାୟିକାଙ୍କୁ ଶେଷଥର ପାଇଁ ବଡ଼ ପରଦାରେ ସ୍ପଟ୍‌ କରାଯାଇଥିଲା।

Share