କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୨୪ା୧ (କାର୍ତ୍ତିକ ସାହୁ) ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ପୁଣି ସତ୍ୟପାଠ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଚୟନ ଓ ନିଯୁକ୍ତି ଉପରେ ପୂର୍ବର ଅନ୍ତରୀଣ ଅଙ୍କୁଶ ଜାରି ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରିଛନ୍ତି।

ଗତ ୧୯ ତାରିଖ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାରଙ୍କୁ ଆବେଦନ ଉପରେ ଜବାବ ରଖିବାକୁ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଜିଲା ଅନୁଯାୟୀ ମେଧା ତାଲିକା ପ୍ରକାଶ କରାଯାଇଥିବା ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ହେଲେ ପୂର୍ବରୁ ପ୍ରକାଶିତ ମେଧା ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁୟାରି ୩୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଧାର୍ଯ୍ୟ ହୋଇଛି।

ମାମଲାର ବିବରଣୀ ଅନୁଯାୟୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ପାଇଁ ଗତ ସେପ୍ଟେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ଦର୍ଶାଯାଇଥିଲା। ଆବେଦନ ପ୍ରକ୍ରିୟା ଶେଷ ପରେ ଚଳିତ ଜାନୁୟାରୀ ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶିତ ହୋଇଥିଲା। ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ୧୭ ତାରିଖ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଯାଞ୍ଚ କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା। ଏହାଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି। ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ. ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଗତ ୧୯ ତାରିଖରେ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ସାର୍ଟିଫିକେଟ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ, ମାତ୍ର ଚୟନ ଓ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

Share