ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ।

ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ଲୋଡ୍‌ କରି ଏମ୍‌ଭି ଓ୍ବାଡି ଆଲ୍‌ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଜର୍ମାନୀର ଏକ କମ୍ପାନୀ ଦାବି କରିଛି। ଉକ୍ତ କମ୍ପାନୀ ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଲୋ ସଲଫର ମେରାଇନ ଗ୍ୟାସ ଅଏଲ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ୧୫ ଦିନ ତଳେ ଚାଇନାର ଆଉ ଏକ ଜାହାଜକୁ ଗିରଫ କରାଯାଇଥିଲା।

Share