Categories: ଜାତୀୟ

ନୁହ ଉଚ୍ଛେଦ ଅଭିଯାନରେ ରୋକ ଲଗାଇଲେ ହାଇକୋର୍ଟ

ଗୁରୁଗ୍ରାମ/ଚଣ୍ଡିଗଡ଼,୮ା୮: ହରିୟାଣାର ନୁହ ଜିଲାରେ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରୋକ ଲଗାଇଛନ୍ତି। ନୁହ ଜିଲାରେ ପ୍ରଶାସନର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜି.ଏସ୍‌. ସନ୍ଧଓ୍ବାଲିଆ ନିଜଆଡୁ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ। ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ସେ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧ରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମୀୟ ଶୋଭାଯାତ୍ରା ବେଳେ ଉକ୍ତ ବେଆଇନ ବିଲ୍ଡିଂ ଉପରୁ କେତେଜଣ ଟେକାମାଡ଼ କରିଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି, ଯାହା ସାମ୍ପ୍ରଦାୟିକ ହିଂସାର ରୂପ ନେଇ ଗୁରୁଗ୍ରାମକୁ ବ୍ୟାପିଯାଇଥିଲା। ଏହି ହିଂସାରେ ଜଣେ ଇମାମ୍‌, ୨ ହୋମ୍‌ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁଗ୍ରାମର ଖଣ୍ଡସା ଗ୍ରାମରେ କେତେଜଣ ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ଏକ ମାଜାରରେ ନିଆଁ ଲଗାଇଦେଇଛନ୍ତି। ଏନେଇ ମାଜାରର ତତ୍ତ୍ୱାବଧାରକ ଗସିତେ ରାମ୍‌ ସେକ୍ଟର ୩୭ ଥାନାରେ ଏତଲା ଦେଇଛନ୍ତି।

Share