Categories: Uncategorized

ହାଇକୋର୍ଟ ଯିବ ଶ୍ରୀମନ୍ଦିର ପ୍ରଶାସନ

ଖୋର୍ଦ୍ଧା ଅଫିସ,୫।୨: ଖୋର୍ଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଖଣିଜ ସମ୍ପଦର ସୁରକ୍ଷାରେ ଅବହେଳା ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନକୁ ପ୍ରଦାନ କରାଯିବ। ଉକ୍ତ ଅର୍ଥରେ ଖୋର୍ଦ୍ଧା ଜିଲା ପ୍ରଶାସନ ଖଣିର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ କରିବାକୁ ଏନ୍‌ଜିଟିର ନିର୍ଦ୍ଦେଶ ରହିଥିଲା। ତେବେ ୧୨କୋଟି ଭରଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି।
କି ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। ତେବେ ଏ ସମ୍ପର୍କରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପରିଚାଳକ ବୀର ବିକ୍ରମ ଯାଦବ ସ୍ପଷ୍ଟ କରିଥିଲେ। ୨୦୨୨ ଅକ୍ଟୋବରରେ ଏନ୍‌ଜିଟି ଉପରୋକ୍ତ ରାୟ ଶୁଣାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ଖଣିଜ ସମ୍ପଦକୁ ସୁରକ୍ଷା ଦେବାରେ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କଠାରୁ ଏହି ଟଙ୍କା ଆଦାୟ କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ କେସ୍‌ ଫାଇଲ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଯେ, ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ପଥର ଖଣି ଲିଜ୍‌ ଦେଉଥିବା ବେଳେ ଏହାର ସୁରକ୍ଷା ପ୍ରତି କୌଣସି ଗୁରୁତ୍ୱ ଦେଉନାହିଁ। ଜିଲା ପ୍ରଶାସନର ମଧ୍ୟ ଏଥିପ୍ରତି ଆନ୍ତରିକତା ଅଭାବ ରହିଛି। ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ହରିଲୁଟ୍‌ ଚାଲିଥିବା ବେଳେ ଉଭୟ କେବଳ ପରସ୍ପର ପ୍ରତି ଦୋଷ ଲଦି ନିଜ ଉପରୁ ଦାୟିତ୍ୱ ଖସାଉଛନ୍ତି। ଶ୍ରୀମନ୍ଦିର ସମ୍ପତ୍ତିର ସୁରକ୍ଷା ଲାଗି ଜିଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।