ହାଇସ୍କୁଲ ଅପ୍‌ଗ୍ରେଡେଶନ ହୋଇ ଖୋଲିଲା ଯୁକ୍ତ ୨: ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ୮ ଛାତ୍ରୀଛାତ୍ର, କାଲିଠୁ ପାଠପଢ଼ା

ପୁରୁଷୋତ୍ତମପୁର,୩୧ା୭(ସୀମାଞ୍ଚଳ ମିଶ୍ର): ଗ୍ରାମାଞ୍ଚଳ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ଲାଗି ସରକାର ରାଜ୍ୟରେ ୭୯ଟି  ହାଇସ୍କୁଲକୁ ଅପ୍‌ଗ୍ରେଡେଶନ (ଉତ୍ତୀର୍ଣ୍ଣ) କରି ଯୁକ୍ତ୨ ଶ୍ରେଣୀ ଖୋଲିବା ଲାଗି ଘୋଷଣା କରିଥିଲେ।
ଏହିକ୍ରମରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଏକମାତ୍ର ପ୍ରତାପପୁର ଗ୍ରାମରେ ୧୯୭୩ ମସିହାରେ ନିର୍ମିତ ରାଙ୍ଗାଭାଟଲା ତୁମ୍ବନାଥ ବିଦ୍ୟାପୀଠ(ଆର୍‌ଟି ବିଦ୍ୟାପୀଠ)ରେ ଯୁକ୍ତ୨ କଳା ଶ୍ରେଣୀରେ
୨୦୨୪-୨୫ ଶିକ୍ଷାବର୍ଷରେ ଶିକ୍ଷାଦାନ କରାଯିବ। ଗୁରୁବାରଠାରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ମାତ୍ର ୮ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସରକାରଙ୍କ ପକ୍ଷରୁ ଅଧ୍ୟାପକ ନିଯୁକ୍ତ ହୋଇ ନ ଥିବା ବେଳେ ସ୍କୁଲ ପକ୍ଷରୁ ୬ଜଣ ଇତି ମହାପାତ୍ର, ମାନସ ରଞ୍ଜନ ପ୍ରଧାନ, ଦିପୁ ବେହେରା, ରୂପାଲି ସାହୁ, ପୁଷ୍ପାଞ୍ଜଳି ପଣ୍ଡା ଓ ପିଙ୍କି ମଣ୍ଡଳଙ୍କୁ ଅତିଥି ଅଧ୍ୟାପିକା ଅଧ୍ୟାପକ ଭାବେ ଚୟନ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ଅଧ୍ୟକ୍ଷା ମୀନାକ୍ଷୀ ନାୟକ ଏସ୍‌ଏମ୍‌ଡିସି ସଦସ୍ୟମାନଙ୍କ ଉପସ୍ଥିତିରେ ସେମାନଙ୍କୁ  ନିଯୁକ୍ତିପତ୍ର ଦେଇଛନ୍ତି। ଏଠାରେ ଓଡ଼ିଆ, ଇଂଲିଶ, ମାତୃଭାଷା ଓଡ଼ିଆ, ରାଜନୀତି ବିଜ୍ଞାନ, ଇତିହାସ ଏବଂ ଅର୍ଥନୀତି ବିଷୟରେ ଶିକ୍ଷାଦାନ କରାଯିବ।