ଅଧିକ ଖରା, ରୋଗ ଆଶଙ୍କା

ଭୁବନେଶ୍ୱର, ୨୩ା୪(ଅସମାପିକା ସାହୁ):ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ଓ ତାତି ଯୋଗୁ ଏବେ ସୂର୍ଯ୍ୟ କିରଣରେ ଅତି ବାଇଗଣି ରଶ୍ମି (ୟୁଭି)ର ମାତ୍ରା ୧୨ ରହୁଛି। ୟୁଭି ସ୍ତର ୧୧ ରୁ ଅଧିକ ଥିବା ଖରା ସଂସ୍ପର୍ଶରେ ଲଗାତର ଆସିଲେ ଚର୍ମ କର୍କଟ ରୋଗ ହୋଇଥାଏ। ସନ୍‌ବର୍ଣ୍ଣ ଏବଂ ଆଖି ଖରାପ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ଜରୁରୀ ନ ଥିଲେ ଖରାକୁ ନ ଯିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଶରୀର ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ଛତା ବ୍ୟବହାର କରିବା, ଦେହ ଓ ହାତକୁ ଘୋଡ଼ାଇବା ସହ ସନ୍‌ଗ୍ଲାସ ପିନ୍ଧିବାକୁ କୁହାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ପ୍ରଥମତଃ ୟୁଭି ଏକ୍ସପୋଜର ଯେତେ ଅଧିକ ହେବ ଆମ ଶରୀରରେ ଥିବା ଉପର ଚମଡ଼ା ନଷ୍ଟ ହେବା ସହିତ ବିଭିନ୍ନ ପ୍ରକାର
ରୋଗ ହୋଇଥାଏ। ବିଶେଷକରି ଚର୍ମ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ। କଳା ଲୋକଙ୍କ ଅପେକ୍ଷା ସଫା ରଙ୍ଗର ଲୋକଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସେହିଭଳି ଯେଉଁମାନଙ୍କ ଶରୀରରେ କଳାଜାଇ ବଢ଼ୁଥିବ, ସେମାନେ ଅଧିକ ଯତ୍ନ ନେବା ଦରକାର। କାରଣ ସେହି କଳାଜାଇ ପାଇଁ କର୍କଟ ରୋଗ ହୋଇଥାଏ। ଏହି କର୍କଟ ରୋଗ ବହୁତ କମ୍‌ ଦେଖାଯାଏ, କିନ୍ତୁ ଏହାର ମୃତ୍ୟୁ ସମ୍ଭାବନା ମଧ୍ୟ ଅଧିକ ଥାଏ। ସାଧାରଣତଃ ତିନିପ୍ରକାର ଚର୍ମ କର୍କଟ ରୋଗ ହୋଇଥାଏ। ସଫା ଲୋକ ଏବଂ ପରିବାରରେ କାହାର ଏହି ରୋଗ ଥିଲେ ସେମାନଙ୍କ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ବେଶି। ତେବେ ରୋଗ ଚିହ୍ନଟ କରି ଆଗୁଆ ଚିକିତ୍ସା କଲେ ତାହା ଭଲ ହୋଇପାରେ ବୋଲି ଡା. ମିଶ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୟୁଭି ରଶ୍ମି ସଂସ୍ପର୍ଶରେ ଅଧିକ ଆସିଲେ ଶରୀରରେ ହୋଇଥିବା ଖଣ୍ଡିଆ ମଧ୍ୟ ଶୀଘ୍ର ଭଲ ହୁଏ ନାହିଁ। ସେହିଭଳି ସ୍କିନ୍‌ରେ ଏକ ଟ୍ୟାଗ୍‌ ପରି ଆସେ, ଯାହାକୁ ଆକ୍ଟିନିକ କେରାଟୋସିସ୍‌ ବୋଲି କୁହାଯାଏ। ଏହା କ୍ୟାନ୍‌ସରର ପୂର୍ବାବସ୍ଥା। ଚମଡ଼ା ଉପରେ ନାଲି ନାଲି ଉଠିକି ଥାଏ ଏବଂ ହାତକୁ ରଫ୍‌ ଲାଗେ। ଖରା ସଂସ୍ପର୍ଶରେ ଆସୁଥିବା କପାଳ, ବେକ ଭଳି ଜାଗାରେ ଏହା ହୋଇଥାଏ। ଏହାକୁ ଧ୍ୟାନ ନ ଦେଲେ ତାହା କର୍କଟ ରୋଗରେ ପରିଣତ ହୋଇପାରେ। ସେହିଭଳି ଆଖି ମଧ୍ୟ ଖରାପ ହୋଇଥାଏ। ଆଖି ରୋଗ ‘କାଟରାକ୍ଟର’ ୧୦ ପ୍ରତିଶତ କାରଣ ହେଉଛି ଖରା ବୋଲି ସେ କହିଛନ୍ତି।
ସକାଳ ୧୦ ଟାରୁ ଅପରାହ୍ନ ୪ଟା ଭିତରେ ୟୁଭି ରଶ୍ମିର ପ୍ରଭାବ ପଡ଼ିଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ଖରାକୁ ବାହାରିବା ବେଳେ ପ୍ରାକ୍‌ସାବଧାନତା ନେବାର ଅଛି। ଧଳା ରଙ୍ଗର କପଡ଼ା ପିନ୍ଧିବା ସହିତ ସନ୍‌ଗ୍ଲାସ ପିନ୍ଧିବା ଏବଂ ସନ୍‌ସ୍କ୍ରିନ ଲଗାଇ ବାହାରିବା ଉଚିତ। ଅଧିକ ସମୟ ଖରାରେ ବୁଲିଲେ ପ୍ରତି ଦୁଇ ତିନିଘଣ୍ଟାରେ ସନ୍‌ସ୍କ୍ରିନ ଲଗାଇବାକୁ ଡା. ପରାମର୍ଶ ଦେଇଛନ୍ତି।
ଏ ସମ୍ପର୍କରେ ବିଏମ୍‌ସି ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢ଼ୀ କହିଛନ୍ତି, ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଲୋକଙ୍କ ଉପରେ ଏହାର ଯଥେଷ୍ଟ କୁପ୍ରଭାବ ପଡ଼ିଥାଏ। ଏହି ସମୟରେ କିଛି ସାଧାରଣ ରୋଗର ପ୍ରାଦୁର୍ଭାବ ବଢ଼ିଯାଇଥାଏ। ଡିହାଇଡ୍ରେଶନ, ଅଂଶୁଘାତ, ହାଡ଼ଫୁଟି, ମିଳିମିଳା, ଟାଇଫଏଡ୍‌ ଇତ୍ୟାଦି ରୋଗ ସହିତ ସନ୍‌ବର୍ନ ଭଳି କିଛି ଚର୍ମରୋଗ ମଧ୍ୟ ଦେଖାଯାଏ। ଏହି ସମୟରେ ଫୁଡ୍‌ ପଏଜନିଂ ଅନ୍ୟ ଏକ ସାଧାରଣ ସମସ୍ୟା ଦେଖାଯାଇଥାଏ। ତେଣୁ ଯେତେ ସମ୍ଭବ ଖରାଠୁ ଦୂରେଇ ରହିବାକୁ ଚେଷ୍ଟା କରିବା ସହିତ ଅଧିକ ପାଣି ପିଇବା ଏବଂ ବାହାର ଖାଦ୍ୟ ନ ଖାଇବା ଉଚିତ ବୋଲି ଡା. ପାଢ଼ୀ ପରାମର୍ଶ ଦେଇଛନ୍ତି।

Share