ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଜୀବନଜୀବିକା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏକ୍ଷେତ୍ରରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବାରୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣିଥରେ ନିଜ କର୍ମସ୍ଥଳୀମୁହଁା ହୋଇଛନ୍ତି। ବିଶେଷକରି ଗୁଜରାଟର ସୁରଟ ଓ ଅହମ୍ମଦାବାଦକୁ ଏବେ ଓଡ଼ିଶାର ଅଧିକାଂଶ ଶ୍ରମିକ ଯାଉଥିବା ଦେଖିବାକୁ ମିଳିଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟକୁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକରେ ସର୍ବାଧିକ ଯାତ୍ରୀ ଯାତାୟତ କରୁଛନ୍ତି। ସପ୍ତାହକୁ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ଏହି ଟ୍ରେନଗୁଡିକରେ ମାତ୍ରାଧିକ ପ୍ରତୀକ୍ଷା ସୂଚୀ ରହୁଥିବା କୁହାଯାଇଛି।
ଦୀର୍ଘଦିନ ଧରି କରୋନାଜନିତ ସଂକଟ ଭିତରେ ହନ୍ତସନ୍ତ ହେଉଥିବାରୁ ରୋଜଗାର ପାଇଁ କର୍ମସ୍ଥଳକୁ ଫେରିଯାଉଛନ୍ତି। ପାଖରେ ଯାହାକିଛି ଅର୍ଥ ଥିଲା, ତାହା ସରିଯାଇଛି। ଏବେ ସେମାନଙ୍କ ପରିବାରରେ ଆର୍ଥିକ ସମସ୍ୟା ମଧ୍ୟ ଉପୁଜିବାରେ ଲାଗିଛି। ଜୀବନ ପ୍ରତି ବିପଦ ଆଶଙ୍କା ରହୁଥିଲେ ମଧ୍ୟ ଜୀବିକା ବଞ୍ଚାଇବା ବର୍ତ୍ତମାନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି। କାରଣ ରାଜ୍ୟ ସରକାର ସେମାନଙ୍କୁ ଜୀବିକା ଯୋଗାଇବାରେ ପଦକ୍ଷେପ ନେଉଥିଲେ ମଧ୍ୟ କରୋନା ପରିସ୍ଥିତିରେ ସମସ୍ତ ପ୍ରବାସୀଙ୍କୁ କାମ ଯୋଗାଇବା ପାଇଁ ସମୟ ଲାଗୁଛି। ତେଣୁ ଗଞ୍ଜାମ ସହ ଅନ୍ୟ ଜିଲାର ଲକ୍ଷାଧିକ ଶ୍ରମିକ ଏବେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। କେବଳ ସୁରଟରୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିଥିଲେ। ଏମାନେ ସାଧାରଣତଃ ସେଠାକାର ବିଭିନ୍ନ ସୂତାକଳରେ କାମ କରିଥାନ୍ତି। କୁଶଳୀ ହୋଇଥିବାରୁ ମାସିକ ରୋଜଗାର ବି ଆଖିଦୃଶିଆ ଥାଏ। ହେଲେ ଓଡ଼ିଶାରେ ସେମାନଙ୍କ ପାଇଁ ସେପରି ସୁଯୋଗ ନାହିଁ। ପୁଣି କେତେକସ୍ଥଳେ ସେମାନେ କାମ କରୁଥିବା କମ୍ପାନୀର ମାଲିକମାନେ ଅଧିକ ଦରମା ଲୋଭ ଦେଖାଇବା ସହ ବସ୍‌ ଭଡ଼ା କରି ସେମାନଙ୍କୁ ନେବାର ବ୍ୟବସ୍ଥା କରୁଛନ୍ତି। ଅନ୍ୟାନ୍ୟ ଯାତାୟାତ ଖର୍ଚ୍ଚ ଦେବାସହ କାମ ଦେବାର ପ୍ରତିଶ୍ରୁତି ଦେଉଛନ୍ତି। ତେଣୁ ତେଣୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଭିଟାମାଟି ଛାଡ଼ି ବାହାର ରାଜ୍ୟମୁହାଁ ହୋଇଛନ୍ତି। କେବଳ ରେଳପଥ ନୁହେଁ, ସଡ଼କପଥରେ ବିଭିନ୍ନ ପରିବହନ ମାଧ୍ୟମରେ ଜୀବନକୁ ବିପଦରେ ପକାଇ କାମ ଖୋଜିବାକୁ ବାହାରୁଛନ୍ତି।

Share