ଭାଲଚନ୍ଦ୍ର ଷଡ଼ଙ୍ଗୀ
ଗୁରୁ ନାନକ ଜୟନ୍ତୀ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଅପ୍ରତ୍ୟାଶିତ ମନେହେଉଥିବା ଏହି ଘୋଷଣାଟି ଖୋଦ୍ ସରକାରଙ୍କ ସମର୍ଥକଙ୍କ ସମେତ ଅନେକଙ୍କୁ ଚକିତ କରିଦେଇଛି। ବିଶେଷକରି ଯେଉଁମାନେ, ପ୍ରଧାନମନ୍ତ୍ରୀ ନିଜ ନିଷ୍ପତ୍ତିରୁ କେବେ ପଛକୁ ଫେରନ୍ତିନି ଏବଂ କୃଷକମାନଙ୍କ ଆନ୍ଦୋଳନ ବିରୋଧରେ ଜୋରସୋରରେ ପ୍ରଚାର କରୁଥିଲେ, ସେମାନେ ଏହି ଘୋଷଣାରେ ନିରାଶ ହୋଇଛନ୍ତି। ତେବେ ଦେଶର କୋଟି କୋଟି ଅନ୍ନଦାତାଙ୍କ ଦାବି ଆଗରେ ସରକାର ନିଜର ଅହଙ୍କାର ଛାଡ଼ି ଏପରି ମୁଣ୍ଡ ନୋଇଁବା ଜନଆନ୍ଦୋଳନର ଶକ୍ତିକୁ ପ୍ରମାଣିତ କରିବା ସହିତ ଗଣତନ୍ତ୍ରକ ଶକ୍ତି ପ୍ରଦାନ କରିଛି। ସରକାର ନିଜର ବୁଦ୍ଧିମତ୍ତାର ପରିଚୟ ଦେଇ ଆରମ୍ଭରୁ ଯଦି ଏହି ଘୋଷଣା କରିଥାନ୍ତେ, ତା’ହେଲେ ହୁଏତ ଅନେକ କୃଷକଙ୍କୁ ଜୀବନ ହରାଇବାକୁ ପଡ଼ି ନ ଥାନ୍ତା।
କୃଷକଙ୍କ ଦାବିକୁ ଅଣଦେଖା କରି ଆସିଥିବା କେନ୍ଦ୍ର ସରକାର ଏବେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଠିକ୍ ପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଅନେକେ ଶାସକ ଦଳର ପରାଜୟର ଭୟ ସହିତ ଦେଖୁଛନ୍ତି। ତେବେ ନିର୍ବାଚନରେ ହାରିବାର ଭୟ ଯୋଗୁ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ, କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ବହୁ ବିଳମ୍ବରେ ହୋଇଥିବା ଏହି ଘୋଷଣା ପଛରେ କୃଷକ କିମ୍ବା ସେମାନଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ସମ୍ବେଦନା କିମ୍ବା ଭଲପାଇବା ଯେ ନାହିଁ, ସେକଥା ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। କୃଷକ ସମାଜକୁ ରାସ୍ତା ଉପରକୁ ଆସିବାକୁ ବାଧ୍ୟ କରିଥିବା ନିଜର ଅଗଣତାନ୍ତ୍ରିକ ନିଷ୍ପତ୍ତି ପାଇଁ ସେ ଦେଶବାସୀଙ୍କୁ ସିଧାସଳଖ କ୍ଷମା ମାଗିବା ପରିବର୍ତ୍ତେ କୃଷି ଆଇନକୁ ଅଧିକାଂଶ କୃଷକ ସମର୍ଥନ କରୁଥିବା ବେଳେ ମାତ୍ର ଅଳ୍ପକିଛି କୃଷକ ହିଁ ବିରୋଧ କରୁଛନ୍ତି ବୋଲି କହିଛନ୍ତି। ଯଦି ସତରେ ଦେଶର ଅଧିକାଂଶ କୃଷକ ଆଇନକୁ ସମର୍ଥନ କରୁଥିଲେ ତା’ହେଲେ ଏହାକୁ ପ୍ରତ୍ୟାହାର କରିବା ଦରକାର ପଡ଼ିଲା କାହିଁକି? ପରିତାପର କଥା ହେଲା, ଆନ୍ଦୋଳନରେ ଅଂଶଗ୍ରହଣ କରି ଏଯାଏ ୭୦୦ରୁ ଊର୍ଦ୍ଧ୍ୱ କୃଷକଙ୍କ ଜୀବନ ଯାଇଛି। ସେମାନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟରେ ପଦୁଟିଏ କହି ନାହାନ୍ତି। ଅସଲ କଥା ହେଲା, ସରକାର କାହା ସହ କୌଣସି ଆଲୋଚନା ନ କରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଦେଶବାସୀଙ୍କ ଉପରେ କୃଷି ଆଇନକୁ ଲଦି ଦେଇଛନ୍ତି। କରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶ ଗୃହବନ୍ଦୀ ଅବସ୍ଥାରେ ଥିଲା, ସମସ୍ତ ପ୍ରକାର ପ୍ରତିବାଦ ଓ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେହି ସୁଯୋଗରେ ସରକାର ତରବରିଆ ଭାବେ ଏହି ଆଇନକୁ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ। କୃଷକଙ୍କ ଆୟକୁ ଦୁଇ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିବା ସରକାର କୃଷି ଓ କୃଷକଙ୍କୁ ସଙ୍କଟରୁ ମୁକ୍ତ କରିବା ପରିବର୍ତ୍ତେ କୃଷିକ୍ଷେତ୍ରକୁ ହିଁ କର୍ପୋରେଟଙ୍କ ହାତରେ ଟେକିଦେବାକୁ ବସିଥିଲେ। କୃଷିକ୍ଷେତ୍ରରେ ସଂସ୍କାର ନାଁରେ ସରକାରଙ୍କ ଏହି ତିନି ଆଇନ ଦେଶର କୃଷି ଓ କୃଷକଙ୍କ ସର୍ବନାଶ କରିବାକୁ ଯାଉଥିଲା। ଚାଷ ଜମିର ମାଲିକାନା ଠାରୁ ଆରମ୍ଭ କରି ଫସଲର ସଂଗ୍ରହ, ବିକ୍ରି, ଦରଧାର୍ଯ୍ୟ, ଜମା ଆଦି କୃଷି ସମ୍ପର୍କିତ ସମସ୍ତ କ୍ଷେତ୍ରକୁ କର୍ପୋରେଟ୍ଙ୍କ ଲୁଟ୍ ପାଇ ଖୋଲିବାକୁ ବସିଥିଲେ। ଏପରି କି ସଂସଦରେ ଏହି କୃଷି ବିଲ୍କୁ ଆଗତ କଲାବେଳେ ଉପଯୁକ୍ତ ଆଲୋଚନା ନ କରି ସରକାର ଅଗଣତାନ୍ତ୍ରିକ ଭାବେ ତାକୁ ଗୃହୀତ କରାଇଥିଲେ। ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ କୃଷକମାନଙ୍କ ଦୀର୍ଘ ଏକବର୍ଷର ଆନ୍ଦୋଳନ ଆଜି ଦେଶର କୃଷିକ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍ଙ୍କ ଚରାଭୂଇଁ ହେବାରୁ ବଞ୍ଚାଇଦେବା ସହ କୃଷି ଓ କୃଷକଙ୍କ ସର୍ବନାଶକୁ ରୋକି ପାରିଛି।
ଦିଲ୍ଲୀର ତିନି ସୀମାନ୍ତରେ କୃଷକମାନଙ୍କ ଆନ୍ଦୋଳନ ଏକ ବର୍ଷ ପୂରୁଥିବା ବେଳେ ପ୍ରଧାନମନ୍ତ୍ରୀ ଭାଷଣରେ ନିଜର ତପସ୍ୟାର କଥା କହିଛନ୍ତି। ଏଠାରେ କହିବା ଉଚିତ ହେବ ଯେ, ଗତ ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ସରକାର ନୁହନ୍ତି ବରଂ କୃଷକମାନେ ହିଁ ତପସ୍ୟା କରିଛନ୍ତି। ନିଜର ଘର, ପରିବାର, ଚାଷବାସକୁ ଛାଡ଼ି ପ୍ରବଳ ଖରା, ବର୍ଷା, ଶୀତ ଓ ମହାମାରୀ କରୋନା ତଥା ଡେଙ୍ଗୁର ବିପଦକୁ ସାମନା କରି ରାସ୍ତାକଡ଼ରେ ତମ୍ବୁ ଭିତରେ ଦୀର୍ଘ ବର୍ଷେ ଧରି ପଡ଼ିରହିବା କୌଣସି ତପସ୍ୟାଠାରୁ କମ୍ ନୁହେଁ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଦୀର୍ଘ ସମୟ ଧରି ଏତେ ସଂଖ୍ୟାରେ ଗୋଟିଏ ଜାଗାରେ ଶାନ୍ତିପୂର୍ଣ୍ଣ ଭାବେ ବସି ଆନ୍ଦୋଳନ କରି କୃଷକମାନେ ଇତିହାସ ସୃଷ୍ଟି କରିଛନ୍ତି। ବରଂ ସରକାର କର୍ପୋରେଟଙ୍କ ପକ୍ଷରେ ଠିଆହୋଇ କୃଷକଙ୍କ ଏହି ତପସ୍ୟାକୁ ଭାଙ୍ଗିବାକୁ ବାରମ୍ବାର ଉଦ୍ୟମ କରିଛନ୍ତି। ତେବେ କୃଷକମାନେ ସରକାରଙ୍କ ସମସ୍ତ ଷଡ଼ଯନ୍ତ୍ରର ସାମ୍ନା କରି ଏହି ଆନ୍ଦୋଳନ କେବଳ ଦୃଢ଼ ଓ ଏକତାବଦ୍ଧ ଭାବେ ଠିଆ କରିନାହାନ୍ତି ବରଂ ସାରାଦେଶରେ ତାକୁ ପ୍ରସାରିତ କରିବାରେ ସଫଳ ହୋଇଛନ୍ତି।
ଏହା ସତ ଯେ ଶାସକ ଦଳର ନେତା ଓ ସେମାନଙ୍କ ବୋଲକରା ମୁଖ୍ୟଧାରାର ମିଡିଆ ଯେଉଁ ଆନ୍ଦୋଳନରତ କୃଷକମାନଙ୍କୁ ଏଯାଏ ‘ଦେଶଦ୍ରୋହୀ’, ‘ଖଲିସ୍ତାନୀ’, ‘ଆତଙ୍କବାଦୀ’, ‘ପରଜୀବୀ’ ଆଦି ବିଭିନ୍ନ ଆକ୍ଷେପ କରି ବଦ୍ନାମ ଓ ଅପମାନିତ କରୁଥିଲେ, ଆଜି ତାଙ୍କର ସର୍ବୋଚ୍ଚ ନେତା ମୁଣ୍ଡ ନୁଆଁଇ କ୍ଷମା ମାଗି କଳା ଆଇନର ପ୍ରତ୍ୟାହାର କରିବା ଦେଶର କୃଷକଙ୍କ ପାଇଁ ଏକ ବଡ଼ ଉପଲବ୍ଧି। କିନ୍ତୁ କୃଷକଙ୍କ ଏହି ବିଜୟ ଅଧୁରା ମନେହୁଏ। କାରଣ ଯଦିଓ ବର୍ଷେ ତଳେ ସରକାର ତିନି କୃଷି ଆଇନ ପ୍ରଣୟନ କରିଥିଲେ, କିନ୍ତୁ ଆନ୍ଦୋଳନର ଚାପରେ ତାହା ଏଯାଏ ଲାଗୁ ନ ହୋଇ ସ୍ଥଗିତ ରହିଛି। ଏହା ଲାଗୁ ହୋଇଥିଲେ, ଭବିଷ୍ୟତରେ ଯେ କୃଷି ଓ କୃଷକଙ୍କ ପାଇଁ ସର୍ବନାଶୀ ହୋଇଥାନ୍ତା, ଏଥିରେ ସନ୍ଦେହ ନାହିଁ। ଅତଏବ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବର୍ଷକ ତଳେ ଆସିଥିବା ଏହି ବିପଦଟି ଯଦିଓ ଟଳିଯାଇଛି କିନ୍ତୁ କୃଷକମାନେ ସରକାରଙ୍କଠାରୁ ଅଧିକ କ’ଣ ପାଇଛନ୍ତି?
କେବଳ ଆଜି ନୁହେଁ, କୃଷି ଆଇନ ଆସିବା ପୂର୍ବରୁ ବି ଦେଶର କୃଷିକ୍ଷେତ୍ରରେ ଭୟଙ୍କର ସଙ୍କଟ ରହିଆସିଛି। ଫସଲର ଉପତ୍ାଦନ ଖର୍ଚ୍ଚରେ ଲଗାତର ବୃଦ୍ଧି ଏବଂ ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଏହି ସଙ୍କଟର ମୂଳ କାରଣ ରହିଆସିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ବ୍ୟବସ୍ଥା ଜରିଆରେ ସରକାର ଯଦିଓ ଅତୀତରେ ହସ୍ତକ୍ଷେପ କରି କୃଷକଙ୍କୁ ସେମାନଙ୍କ ଫସଲର ଏକ ସର୍ବନିମ୍ନ ମୂଲ୍ୟ ଦେବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ତାହା ସବୁ ଫସଲ ଓ ସବୁ କୃଷକଙ୍କୁ ଯୋଗାଇବାରେ ବିଫଳ ହୋଇଛି। ଫସଲର ଉପଯୁକ୍ତ ଦାମ୍ ନ ମିଳିବା ଫଳରେ ଋଣଗ୍ରସ୍ତ ହୋଇ ଗତ ୨୫ ବର୍ଷ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। କେବଳ ଗତ ୭ ବର୍ଷର ଶାସନ କାଳରେ ଦେଶରେ ଏକ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି। ସରକାରଙ୍କ ଭୁଲ୍ନୀତି ଯୋଗୁ ପ୍ରତିବର୍ଷ ସାର, କୀଟନାଶକ, ଡିଜେଲ, ବିଦ୍ୟୁତ୍ର ଦାମ୍ ବଢ଼ିବା ଯୋଗୁ ଫସଲର ଉପତ୍ାଦନ ଖର୍ଚ୍ଚରେ ବୃଦ୍ଧି ସହିତ କୃଷକଙ୍କ ଋଣଭାର ମଧ୍ୟ ବଢ଼ିବାରେ ଲାଗିଛି। ଯଦି ସରକାର ଚାହିଁଥାନ୍ତେ, ଉପଯୁକ୍ତ ନୀତି ଗ୍ରହଣ କରି କୃଷକଙ୍କୁ ଏହି ସଙ୍କଟରୁ ଉଦ୍ଧାର କରିପାରିଥାନ୍ତେ। କିନ୍ତୁ ଓଲଟା ସରକାରୀ ସଂଗ୍ରହ ତଥା ଏମ୍ଏସ୍ପି ବ୍ୟବସ୍ଥାକୁ ସମାପ୍ତ କରିଦେବାକୁ ଉଦ୍ୟମ ହେଉଛି।
କୃଷକମାନେ ସରକାରଙ୍କଠାରୁ କୌଣସି ଦାନ ନୁହେଁ ବରଂ ନିଜର ଉପତ୍ାଦିତ ଫସଲର ଉପଯୁକ୍ତ ଦାମ୍ ଚାହୁଁଛନ୍ତି। ସରକାର ଘରୋଇ ସଂଗ୍ରହ ପାଇଁ ଯେତେ ଓକିଲାତି କଲେ ବି ଗୋଟିଏ କଥା ପ୍ରମାଣିତ ଯେ ସରକାରୀ ମଣ୍ଡିରେ ହିଁ କୃଷକମାନେ ନିଜ ଫସଲର ଅପେକ୍ଷାକୃତ ଅଧିକ ଦର ପାଉଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଉପତ୍ାଦିତ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନଟି ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଅତୀତରେ ଖୋଦ୍ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ମୁଖ୍ୟମନ୍ତ୍ରୀଙ୍କ କମିଟି ଏମ୍ଏସ୍ପି ପାଇଁ ଆଇନ କରିବାକୁ ସୁପାରିସ କରିଥିଲା। କିନ୍ତୁ ଆଜି ତାଙ୍କ ସରକାର ଆଇନ କରି କୃଷକଙ୍କୁ ସେମାନଙ୍କ ନ୍ୟାୟସଙ୍ଗତ ପ୍ରାପ୍ୟ ଦେବାକୁ ଆନ୍ତରିକତା ଦେଖାଉନାହିଁ। ପ୍ରଧାନମନ୍ତ୍ରୀ ନିଜ ଘୋଷଣାରେ ଏମ୍ଏସ୍ପି ପାଇଁ ଆଇନ ଆଣିବାକୁ ସିଧାସଳଖ ନ କହି ଏମ୍ଏସ୍ପି ଉପରେ ବିଚାର କରିବାକୁ ଏକ କମିଟି ଗଠନ କଥା କହିଛନ୍ତି। ଏଭଳି କୌଶଳ ଜରିଆରେ ସରକାର ପ୍ରସଙ୍ଗଟିକୁ ସମାଧାନ କରିବା ପରିବର୍ତ୍ତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏଡ଼େଇ ଯିବାକୁ ଚାହୁଁଛନ୍ତି।
ପ୍ରଥମ ଥର ପାଇଁ କୃଷକମାନେ ନିଜର ଦାବି ନେଇ କରିଥିବା ଐତିହାସିକ ଆନ୍ଦୋଳନରେ ଅଭୂତପୂର୍ବ ଏକତା ଓ ଶକ୍ତି ପ୍ରଦର୍ଶନ କରିଛନ୍ତି। ସେମାନେ ସରକାରଙ୍କ ପ୍ରତାରଣାପୂର୍ଣ୍ଣ ପ୍ରତିଶ୍ରୁତିରେ ଭୁଲି ନ ଯାଇ ନିଜର ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। କୃଷି ଉପରେ ନିର୍ଭରଶୀଳ ଦେଶର ୬୦ ଭାଗ ଜନତାଙ୍କୁ ସଙ୍କଟରୁ ଉଦ୍ଧାର କରିବାକୁ ହେଲେ ସେମାନଙ୍କ ଉପତ୍ାଦିତ ଫସଲର ଉପଯୁକ୍ତ ଦର ଓ ସଂଗ୍ରହ ବ୍ୟବସ୍ଥା ହିଁ ଏକମାତ୍ର ରାସ୍ତା ହୋଇଛି। ସରକାର ଯଦି କୃଷକଙ୍କ ଆୟବୃଦ୍ଧି ପାଇଁ ସତରେ ତପତ୍ର ଅଛନ୍ତି, ତା’ହେଲେ ତୁରନ୍ତ ଏମ୍ଏସ୍ପି ପାଇଁ ଆଇନ କରିବା ଦରକାର। ଏହାସହ ବିଦ୍ୟୁତ୍ କମ୍ପାନୀଙ୍କ ଲୁଟ୍ ପାଇଁ ଉଦ୍ଦିଷ୍ଟ ଜନବିରୋଧୀ ବିଦ୍ୟୁତ୍ ବିଲ୍ -୨୦୨୦ର ପ୍ରତ୍ୟାହାର କରିବା ତଥା ଆନ୍ଦୋଳନରେ ଜୀବନ ହାରିଥିବା କୃଷକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଏବଂ ଆନ୍ଦୋଳନରତ କୃଷକଙ୍କ ବିରୋଧରେ ହୋଇଥିବା ସମସ୍ତ ମକଦ୍ଦମାକୁ ପ୍ରତ୍ୟାହାର କରିବା ଦରକାର। ତା’ହେଲେ ଯାଇ ହିଁ କୃଷକମାନେ ପ୍ରକୃତ ବିଜୟ ପାଇଲେ ବୋଲି କୁହାଯିବ।
ମୋ.: ୯୪୩୭୧୬୬୩୯୧