କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ବେସରକାରୀ ହୋର୍ଡିଂ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବ ହାନି ଘଟିବା ସହ ଦୁର୍ଘଟଣାର କାରଣ ହେଉଛି। ପୌରପାଳିକାର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋତ୍ସାହନରେ ଏଭଳି ବହୁ ବେଆଇନ ହୋର୍ଡିଂ ରାସ୍ତାଘାଟ, ଘର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲାଗିଥିଲେ ହେଁ ଧରପଗଡ଼ ହେଉନାହିଁ। ଫଳରେ ସମଗ୍ର ପୌରାଞ୍ଚଳରେ ବେଆଇନ ହୋର୍ଡିଂ ସଂଖ୍ୟା ବଢୁଛି।
ଏବେ ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଚାଲିଥିବାରୁ ଏବେ ସେଭଳି ଅବସ୍ଥା ହୋଇଥିବା ବେଳେ ଏନେଇ ପୌରପାଳିକା ଲୋକ ଦେଖାଣିଆ ନୋଟିସ୍ କରି ଚୁପ୍ ବସିଛି। ଚିଠି ନମ୍ବର ୭୨୬୮/୪-୯-୨୩ରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘର ସଭାପତିଙ୍କୁ ଏହି ଚିଠି କରାଯାଇ ହୋର୍ଡିଂ ଉଠାଇବାକୁ ଲେଖାଯାଇଛି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସଭାପତି କେହିନାହାନ୍ତି ପରାମର୍ଶଦାତା କମିଟି ନିର୍ବାଚନ ପରିଚାଳନା କରୁଛନ୍ତି। ଏଣୁ ଏଭଳି ଚିଠିକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ସେହିପରି କେବେ ସୁଦ୍ଧା ହୋର୍ଡିଂ ଉଠାଇବେ ବା ନ ଉଠାଇଲେ ନିର୍ଦ୍ଦିଷ୍ଟ କାୈଣସି କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ହୋଇ ନ ଥିବାରୁ ଦୁଇ ଦିନ ପରେ ମଧ୍ୟ ହୋର୍ଡିଂ ଉଠାଯାଇନାହିଁ। ଅନେକ ସମୟରେ ବର୍ଷା ପବନରେ ସେସବୁ ଭାଙ୍ଗି, ଚିରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତତାର, ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଉପରେ ପଡୁଛି। ମଝିରେ ମଝିରେ ଦାୟିତ୍ୱ ଶେଷ କରିବାକୁ ନୋଟିସ୍ ବା ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ଏବଂ ନିଜ ଖର୍ଚ୍ଚରେ ସେସବୁ ଭାଙ୍ଗୁଛନ୍ତି ବା ଚିରୁଛନ୍ତି ବୋଲି ପ୍ରଦୀପ ମହାନ୍ତି କହିଛନ୍ତି। ଉପରେ ପଡୁଛି ଅଧିକ ଚାପ ପଡ଼ିଲେ ନୋଟସ୍ କରି ଚୁପ୍ ବସୁଛନ୍ତି ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ବିଶେଷକରି ଜିଲାପାଳ କାର୍ଯ୍ୟାଳୟ ଛକ, ଲାବଣ୍ୟ ଛକ, ଗାନ୍ଧୀ ଛକ ଆଦି ଛକରେ ବେଆଇନ ହୋର୍ଡିଂ ଲାଗୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏବଂ ବଡ଼ବଡ଼ କୋଠା ଘର ଉପରେ ମଧ୍ୟ ଲାଗୁଛି। ସେହିପରି ନୂଆବର୍ଷ, ପୂଜାପାର୍ବଣ ଆସିଲେ, ପରୀକ୍ଷା ଫଳ ପ୍ରକାଶ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥାଗୁଡ଼ିକର ହୋର୍ଡିଂ ଲାଗୁଛି।