ପରମାଣୁ ଯୁଦ୍ଧର ବିଭୀଷିକା

ଡା. ନିତ୍ୟାନନ୍ଦ ସ୍ବାଇଁ

୧୯୪୫ ମସିହା ଅଗଷ୍ଟ ୬ ତାରିଖ। ଏହି ଦିବସଟି ଏକ ବିଭୀଷିକାମୟ ସ୍ମରଣୀୟ ଦିନ। କାରଣ ଏହି ଦିନ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ନିକ୍ଷେପ କରିଥିଲା। ବୋମାଟି ନିଶ୍ଚିହ୍ନ କରି ଦେଇଥିଲା ହିରୋଶିମା ସହରଟିକୁ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ସମସ୍ତ କୋଠାବାଡ଼ି ଧୂଳିସାତ୍‌ ହୋଇଯାଇଥିଲା। ଏପରି କି ବିସ୍ଫୋରଣର ଧ୍ୱଂସକାରୀ ପ୍ରଭାବ ଅନୁଭୂତ ହୋଇଥିଲା ୬୦ କି.ମି.ପର୍ଯ୍ୟନ୍ତ। ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ତେଜସ୍କ୍ରିୟ ବିକିରଣ ପ୍ରଭାବରେ ଆହୁରି ଅସଂଖ୍ୟ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା । ଜାପାନର ହିରୋଶିମା ଉପରେ ପ୍ରଥମ ପରମାଣୁ ବୋମା ବିସ୍ଫୋରଣରେ ନିହତମାନଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୬ତାରିଖରେ ପାଳିତ ହୋଇଥାଏ ହିରୋଶିମା ଦିବସ। ଦିବସଟିକୁ ପାଳନ କରିବାର ପ୍ରଧାନ ଲକ୍ଷ୍ୟ ହେଉଛି ପରମାଣୁ ଅସ୍ତ୍ର ବିରୋଧରେ ଜନସଚେତନତା ଜାଗ୍ରତ କରାଇବା। ଏହିଦିନ ପରମାଣୁ ଅସ୍ତ୍ରବିରୋଧୀ ଶୋଭାଯାତ୍ରା, ଜନସମାବେଶ, ଆଲୋଚନାଚକ୍ର ଓ ପ୍ରଦର୍ଶନୀ ଇତ୍ୟାଦି ମାଧ୍ୟମରେ ପରମାଣୁ ଯୁଦ୍ଧର ବିଭୀଷିକା ଓ ପୃଥିବୀ ଉପରେ ତା’ର ଭୟଙ୍କର ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସତର୍କ କରାଯାଇଥାଏ।
ହିରୋଶିମାର ପରେ ଅଗଷ୍ଟ ୯ ତାରିଖରେ ଆମେରିକା ଆହୁରି ଗୋଟିଏ ଶକ୍ତିଶାଳୀ ପରମାଣୁ ବୋମା ପକେଇଲା ଜାପାନର ଅନ୍ୟ ଏକ ସହର ନାଗାସାକିରେ। ସେଠାରେ ବି ସଂଘଟିତ ହେଲା ଅନୁରୂପ ଧ୍ୱଂସଲୀଳା। ଏହା ପରେ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଲା। ଯୁଦ୍ଧର ଇତିହାସରେ ଏହି ଦୁଇଟି ଥିଲା ପରମାଣୁ ବୋମାର ପ୍ରଥମ ଓ ଶେଷ ବ୍ୟବହାର। ଅବଶ୍ୟ ତା’ ପରେ ଆହୁରି ପଞ୍ଚ ଶତାଧିକ ଥର ପରୀକ୍ଷାମୂଳକ ଭାବରେ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏହି ବୋମା ବିସ୍ଫୋରଣ କରାଯାଇଛି। ଯେଉଁସବୁ ଦେଶ ଏବେ ପରମାଣୁ ବୋମାର ଅଧିକାରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ରହିଛି ଭାରତ, ପାକିସ୍ତାନ।
ବିଶ୍ୱରେ ଏବେ ସହସ୍ରାଧିକ ପରମାଣୁ ବୋମା ମହଜୁଦ ଅଛି। ଏଗୁଡ଼ିକ ଅଳ୍ପ କେତୋଟି ମିନିଟ୍‌ ଭିତରେ ପ୍ରୟୋଗ କରିବା ସମ୍ଭବ। ଏଭଳି ଦୁର୍ଯୋଗ ଆସିଲେ ପୃଥିବୀ ନିମିଷକ ଭିତରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ। ଅବଶ୍ୟ ପରମାଣୁ ଯୁଦ୍ଧ ନ କରିବା ଉଦ୍ଦେଶ୍ୟରେ ବିଶ୍ୱର ବୃହତ୍‌ ଶକ୍ତିଗୁଡ଼ିକ ମଧ୍ୟରେ କେତୋଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେହିସବୁ ଚୁକ୍ତି ମଧ୍ୟରୁ ପରମାଣୁ ବିସ୍ତାରବିରୋଧୀ ଚୁକ୍ତି ବା ନ୍ୟୁକ୍ଲିୟର ନନ୍‌ ପ୍ରଲିଫରେସନ ଟ୍ରିଟି ହେଉଛି ଅନ୍ୟତମ। ଏହାସତ୍ତ୍ୱେ ଆମେରିକା ଓ ରୁଷିଆ ଭିତରେ ଉତ୍ତେଜନା ଅବ୍ୟାହତ ରହିଛି । ପାକିସ୍ତାନ ତ ସର୍ବଦା ପରମାଣୁ ଯୁଦ୍ଧର ଧମକ ଦେଇଚାଲିଛି ଭାରତକୁ। ହିରୋଶିମା ଓ ନାଗାସାକିରେ ନିକ୍ଷିପ୍ତ ବୋମା ଦୁଇଟି ଥିଲା ପୂରାପୂରି ପ୍ରଥମ ଜେନେରେସନର। ଏହା ଭିତରେ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରଗୁଡ଼ିକ ସହ ପରମାଣୁ ବୋମାରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। କିନ୍ତୁ ହଠାତ୍‌ କରି ଯଦି କେହି ପରମାଣୁ ଆକ୍ରମଣ ଆରମ୍ଭ କରିଦିଏ ତେବେ କ’ଣ ହେବ ପୃଥିବୀର ପରିଣତି।
ବର୍ତ୍ତମାନ ଆମେରିକା ହାତରେ ରହିଛି ପାଖାପାଖି ସାତହଜାର ନ୍ୟୁକ୍ଲିୟର ଓ୍ବାରହେଡ୍‌। ରୁଷିଆ ହାତରେ ସାତହଜାରରୁ ଟିକିଏ କମ୍‌। ଉଭୟ ଦେଶରେ ବି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ମାନ ରହିଛି। ଆମେରିକା ଓ ରୁଷିଆର ପରମାଣୁ ଅସ୍ତ୍ର ଭଳି ସାମର୍ଥ୍ୟ ବହନ ନ କରୁଥିଲେ ମଧ୍ୟ ପ୍ରତିବେଶୀ ରାଷ୍ଟ୍ରଗୁଡ଼ିକ ଆଡୁ ଯେ ପରମାଣୁ ଯୁଦ୍ଧର ଆଶଙ୍କା ନ ରହିଛି ତାହା ନୁହେଁ। ବର୍ତ୍ତମାନର ପ୍ରଯୁକ୍ତିରେ ୧୯୪୫ ଭଳି ବିମାନ ଯୋଗେ ବୋମା କି କ୍ଷେପଣାସ୍ତ୍ର ପରିବହନ କରି ନିକ୍ଷେପ କରିବା ପାଇଁ ପଡ଼ିବନି। ପ୍ରେରଣ ପାଇଁ ପ୍ରସ୍ତୁତ କ୍ଷେପଣାସ୍ତ୍ର ପ୍ରେରିତ ହେବ ମାଟିତଳ କୋଠରିରୁ, ନୌବାହିନୀର ଯୁଦ୍ଧପୋତରୁ କିମ୍ବା ବୁଡ଼ା ଜାହାଜରୁ । ଏହାବ୍ୟତୀତ ବି ରହିଛି ଏୟାର ଟୁ ଏୟାର ମିଜାଇଲ।
ପରମାଣୁ ବୋମା ବିସ୍ଫୋରଣ ପରେ ପ୍ରଥମ ଆଘାତଟି ହେବ ସକ୍‌୍‌ଓ୍ବେଭ ଓ ଉତ୍ତାପର। ଏହାଫଳରେ ବୋମାର କ୍ଷମତା ଉପରେ ନିର୍ଭର କରି କେତେକ କିଲୋମିଟରଠାରୁ ଆରମ୍ଭ କରି କେତେ ଶହ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ରହିଥିବା ଅଧିକାଂଶ ପ୍ରାଣୀ ଓ ଉଦ୍ଭିଦ ମରିଯିବେ। ଯେଉଁସବୁ ପ୍ରାଣୀ ଓ ଉଦ୍ଭିଦ ବଞ୍ଚିଯିବେ, ସେମାନଙ୍କ ପାଇଁ ଅପେକ୍ଷା କରିଥିବ ତେଜସ୍କ୍ରିୟତାର ଭୟାବହତା। ତେଜସ୍କ୍ରିୟତାର ପ୍ରଭାବରେ ଶରୀରର ଡି.ଏନ୍‌.ଏ. ପରିବର୍ତ୍ତିତ ହୋଇଯିବ। ପ୍ରକାଶ ପାଇବ ଭୟାବହ ବ୍ୟାଧିସକଳ ଏବଂ ସେଗୁଡ଼ିକର କବଳରୁ ବି ଯଦି କେହି ବର୍ତ୍ତିଯାଏ, ତାହା ହେଲେ ଭୟାବହତା ଅପେକ୍ଷା କରି ରହିଥିବ ଭବିଷ୍ୟତ ପ୍ରଜନ୍ମ ପାଇଁ। ତେଜସ୍କ୍ରିୟତାର ଏହି ଭୟବହତା ସଂଚରିତ ହୋଇପାରେ ଏକାଧିକ ପ୍ରଜନ୍ମ ପର୍ଯ୍ୟନ୍ତ।
ଯଦି ଗୋଟିଏ ଦେଶ ପରମାଣୁ ଓ୍ବାରହେଡ୍‌ ଥିବା କ୍ଷେପଣାସ୍ତ୍ର ନିକ୍ଷେପ କରିଦେଲା ପରେ ଅନ୍ୟ ଦେଶଗୁଡ଼ିକ ଏହାକୁ ନିକ୍ଷେପ କରିବାର ସୁଯୋଗ ନ ପାଆନ୍ତି, ତେବେଏହି ଅବସ୍ଥାରେ ପୃଥିବୀର ପରିଣତି କ’ଣ ହୋଇପାରେ, ସେ ସମ୍ପର୍କରେ ଗବେଷଣା ଚଳେଇଛନ୍ତି ମିସିଗାନ୍‌ ଟେକ୍‌ନୋଲୋଜିକାଲ ୟୁନିଭରସିଟିର ଏକ ବିଜ୍ଞାନୀଗୋଷ୍ଠୀ। ସେମାନଙ୍କର ନେତୃତ୍ୱ ନେଇଛନ୍ତି ଜୋସୁୟା ପିଅର୍ସ। ତାଙ୍କ ମତରେ, ଯେଉଁ ଦେଶ ମିଜାଇଲ ଛାଡ଼ିଥିଲା ପ୍ରତିପକ୍ଷ ଦିଗରେ ସେହି ଦେଶର କେଇ ଲକ୍ଷ ଲୋକ ବି ମୃତ୍ୟୁ ମୁଖରେ ପଡ଼ିବେ ପ୍ରତିପକ୍ଷର କୌଣସି ପ୍ରତି ଆକ୍ରମଣ ବିନା ଏବଂ ଏହାର କାରଣ ତେଜସ୍କ୍ରିୟତାର ନୁହେଁ, ବରଂ ଗୋଟିଏ ଆକ୍ରମଣ ଫଳରେ ମଧ୍ୟ ପୂରା ପୃଥିବୀର ପରିବେଶରେ ଯେଉଁ ପରିବର୍ତ୍ତନ ଆସିବ, ତାହାରି ଯୋଗୁ। ଉଦ୍ଦେଶ୍ୟରେ ଛଡ଼ାଯାଇଥିବା ମିଜାଇଲ କାର୍ଯ୍ୟକାରୀ ହେବା ପରେ ପରେ ହିଁ ବିପର୍ଯ୍ୟସ୍ତ ହୋଇପଡ଼ିବ ପୂରା ଇଲାକାଟିର ପରିବେଶ। ସାରା ପୃଥିବୀର ତାପମାତ୍ରା କେତେକ ଡିଗ୍ରୀ ହ୍ରାସ ପାଇ କମିଯିବ ବୃଷ୍ଟିପାତ। ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେବ ପୃଥିବୀର କୃଷି ବ୍ୟବସ୍ଥା।
ଆମେରିକା ପାଖରେ ରହିଛି ସାତହଜାର ପରମାଣୁ ଓ୍ବାରହେଡ୍‌। ଏହି ସବୁତକ ନେଇ ଆମେରିକା ଯଦି ପ୍ରତିପକ୍ଷ ଉପରେ ଝାମ୍ପିପଡ଼େ, ତେବେ ସାରା ପୃଥିବୀରେ ଛାଇଯିବ ଅନ୍ଧକାର। ଜାତ ହେବ ନ୍ୟୁକ୍ଲିୟର ଉଇଣ୍ଟର ବା ନାଭିକୀୟ ଶୀତଋତୁ ଏବଂ ସେହି କାରଣରୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିବେ। ତେବେ ଏହି ହିସାବଗୁଡ଼ିକ କେବଳ ମାତ୍ର ପରିବେଶଗତ ବିପର୍ଯ୍ୟୟ କାରଣରୁ ମୃତକଙ୍କର ତାଲିକା। ଖୁବ୍‌ ସ୍ବାଭାବିକ ଯେ ପରିବେଶଗତ ବିପର୍ଯ୍ୟୟ ଫଳରେ କୃଷି, ସ୍ବାସ୍ଥ୍ୟ, ଯୋଗାଯୋଗ, ନିରାପତ୍ତା ବ୍ୟବସ୍ଥା ଇତ୍ୟାଦି ଭାଙ୍ଗିପଡ଼ିବ। ଦୁର୍ଯୋଗ ପରେ ମଧ୍ୟ ଯେଉଁମାନେ ବଞ୍ଚିରହିବେ ସେମାନେ ଖାଦ୍ୟ ପାଇବା ପାଇଁ ନିଜ ନିଜ ମଧ୍ୟରେ ମରାମରି ହୋଇପାରନ୍ତି। ତେଣୁ ନିହତମାନଙ୍କର ସଂଖ୍ୟା ଯେ, ଆହୁରି କେତେଗୁଣ ବଢ଼ିଯିବ ଏଥିରେ କୌଣସି ସନ୍ଦେହ ନାହିଁ।
ପାରମାଣୁଅସ୍ତ୍ର ଏପରି ଏକ ଅସ୍ତ୍ର, ଯାହା କେବଳ ଶତ୍ରୁକୁ ହିଁ ଶେଷ କରିଦେବ ତାହା ନୁହେଁ, ବରଂ ନିଜ ଦେଶ ପାଇଁ ମଧ୍ୟ ଆମନ୍ତ୍ରଣ କରି ଆଣିବ ଭୟାବହ ବିପର୍ଯ୍ୟୟ। ଏହାସତ୍ତ୍ୱେ ଏହି ଅସ୍ତ୍ର ସଂକ୍ରାନ୍ତ ଗବେଷଣା ଏବଂ ଅସ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣରେ ପ୍ରତିବର୍ଷ ଦେଶଗୁଡ଼ିକ ବ୍ୟୟ କରିଚାଲିଛନ୍ତି ପ୍ରଚୁର ଅର୍ଥ। ଏହି ଅର୍ଥ ଯଦି ମାନବ କଲ୍ୟାଣ ପାଇଁ ବ୍ୟୟିତ ହୁଅନ୍ତା, ତେବେ ଯୁଦ୍ଧ ହୁଏତ ଆଉ ଦରକାର ପଡ଼ନ୍ତାନି। ଏହି ସହଜ କଥାଟିକୁ ବିଶ୍ୱର ନେତୃବୃନ୍ଦ ଯେତେ ଚଞ୍ଚଳ ବୁଝିପାରିବେ ସେତେ ଚଞ୍ଚଳ ସେମାନେ ଆମନ୍ତ୍ରଣ କରି ଆଣିପାରିବେ ନିଜର ସର୍ବାଙ୍ଗୀନ ମଙ୍ଗଳକୁ।
ସେକ୍ଟର-୬, ପ୍ଲଟ ନଂ-୧୧୩୧
ଅଭିନବ ବିଡ଼ାନାସୀ, କଟକ