ସୀମା ବିବାଦ ନେଇ ବସିଲା ଗୃହ କମିଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ଥିବା ସୀମା ବିବାଦ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟ ସହ ଲାଗି ରହିଥିବା ସୀମା ବିବାଦ ଉପରେ ବିଶଦ ଆଲୋଚନା କରାଯାଇଥିଲା। ସୀମା ବିବାଦ ସମ୍ପର୍କିତ ସୁପ୍ରିମକୋର୍ଟରେ ପଡିଥିବା ମାମଲାର ବର୍ତ୍ତମାନ ସ୍ଥିତି ଉପରେ ବାଚସ୍ପତି ପାତ୍ର ଜାଣିବାକୁ ଚାହିଁଥିଲେ। ପରବର୍ତ୍ତୀ ବୈଠକରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ୨୦୧୯ ନଭେମ୍ବର ୭ ଗୃହ କମିଟି ବୈଠକରେ ଗୃହୀତ ନିଷ୍ପତ୍ତିର ଅନୁପାଳନ ବିବରଣୀ ମଧ୍ୟ ପ୍ରଦାନ କରିବାକୁ ବାଚସ୍ପତି ପାତ୍ର ପରାମର୍ଶ ଦେଇଛନ୍ତି।
ସୀମା ବିବାଦ ଥିବା ଜିଲାର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟେକ ମାସରେ ଅନ୍ତତଃ ଥରେ ପ୍ରତିପକ୍ଷ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ବୈଠକ କରି ଆଲୋଚନା କରିବାକୁ ଗୃହ କମିଟି ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ଏ ସଂକ୍ରାନ୍ତରେ ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ରାଜସ ଆୟୁକ୍ତ ଏବଂ ମୁଖ୍ୟ ଶାସନ ସଚିବ ଗୃହ କମିଟିକୁ ଅବଗତ କରାଇବେ। ବାସ୍ତବ ସମସ୍ୟା ଉପରେ ଅବଗତ ହେବା ପାଇଁ ଗୃହ କମିଟି ସୀମା ବିବାଦ ଥିବା କୋଟିଆ ଗ୍ରାମପୁଞ୍ଜ ସହ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରିବାକୁ ନିଷ୍ପତ୍ତି କରିଛି ା କମିଟିର ପରବର୍ତ୍ତୀ ବୈଠକରେ ରାଜସ୍ବ, ଆଇନ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗର ସଚିବମାନେ ଯୋଗଦେଇ ସମ୍ପୃକ୍ତ ଅଞ୍ଚଳରେ କିଭଳି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ସେ ନେଇ ତଥ୍ୟ ରଖିବେ। ଏହାସହ ସେ ସମ୍ପର୍କରେ ଗୃହ କମିଟିକୁ ଅବଗତ କରାଇବେ । ସୀମାନ୍ତ ଗ୍ରାମଗୁଡ଼ିକର ୫ କିମି ଦୂରତା ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆଇନଶୃଙ୍ଖଳା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସୀମାନ୍ତ ଗ୍ରାମର ୫ କିମି ଦୂରରେ ଥିବା ବିଦ୍ୟାଳୟଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ ହୋଇଛି ।

Share