ଓଡ଼ିଆ ଭାଷା ପ୍ରଚାର ଲାଗି ବାହାର ରାଜ୍ୟ ଗସ୍ତ କରିବ ଗୃହ କମିଟି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସୀମାନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସମସ୍ୟା ଓ ପ୍ରତିକାର ଉପରେ ଆଲୋଚନା ହୋଇଥିଲା। ସେମାନଙ୍କ ବାସ୍ତବ ସମସ୍ୟା ସମ୍ପର୍କରେ ଠିକ୍‌ ଭାବେ ଅବଗତ ହେବା ପାଇଁ ଗଠିତ ହୋଇଥିବା ୭ଟି ସବ୍‌କମିଟି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରିବ ଏବଂ ଓଡ଼ିଆ ଭାଷାଭାଷୀ ଜନସାଧାରଣ ଓ ଅନୁଷ୍ଠାନ ସହ ଆଲୋଚନା କରିବ। ସେଠାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ପ୍ରଚାର ଓ ପ୍ରସାର ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଉପାନ୍ତ ମଞ୍ଜୁଷା, ଟିକିଲି ଆଦି ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ଅବହେଳିତ ହେଉଥିବା ଦର୍ଶାଇ ବିଧାୟିକା ଉଷାଦେବୀ କ୍ଷୋଭ ପ୍ରକାଶ କରିଥିଲେ। ଗଣଶିକ୍ଷା ବିଭାଗ ତରଫରୁ ତୁରନ୍ତ ଏଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବାକୁ ସେ ଦାବି କରିଥିଲେ। ଓଡ଼ିଆମାନେ ବସବାସ କରୁଥିବା ରାଜ୍ୟଗୁଡ଼ିକରେ ଆମର କଳା, ସ୍ଥାପତ୍ୟ, ଜୀବନଶୈଳୀର ଝଲକ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ମହୋତ୍ସବ ଆୟୋଜନ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରସ୍ତାବ ରଖିଥିଲେ। ମେଦିନୀପୁର ଚବିଶ ପ୍ରଗଣା ଏବଂ କଲିକତା ଭଳି ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆଙ୍କ ଶିକ୍ଷା, ସଂସ୍କୃତି, ଭାଷାଭିତ୍ତିକ ସମସ୍ୟାର ଆଶୁ ସମାଧାନ ପାଇଁ ବିଧାୟକ ଅନନ୍ତ ଦାସ ପ୍ରସ୍ତାବ ଦେଇଥିଲେ। ସୀମାନ୍ତ ଜିଲାର ଜିଲାପାଳ ଏ ସଂକ୍ରାନ୍ତରେ ଏକ ପ୍ରଶ୍ନାବଳୀ ପ୍ରେରଣ କରିବା ଏବଂ ଜିଲାପାଳମାନେ ଗୃହ କମିଟି ନିକଟରେ ଉପସ୍ଥିତ ହୋଇ ତା’ର ଜବାବ ରଖିବାକୁ ବାଚସ୍ପତି ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସୀମାନ୍ଧ୍ର ପାଇଁ ଗଠିତ ସବ୍‌କମିଟିର ଅଧ୍ୟକ୍ଷ ଭାବେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ତେଲେଙ୍ଗାନା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଛତିଶଗଡ଼ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ଝାଡଖଣ୍ଡ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ପଶ୍ଚିମବଙ୍ଗ ପାଇଁ ବିଧାୟକ ଅନନ୍ତ ଦାସ, ଗୁଜୁରାଟ ଓ ମହାରାଷ୍ଟ୍ର ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂ, କର୍ଣ୍ଣାଟକ ପାଇଁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଅଧ୍ୟକ୍ଷ ରହି ସମ୍ପୃକ୍ତ ରାଜ୍ୟର ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Share