ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର

ଖଡ଼ିଆଳ,୩।୮(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ ବେହେରା ଓ ଦୁତିଆ ବେହେରାଙ୍କ ଘର ଭାଙ୍ଗିଯାଇଛି। ୨ଜଣ ଗରିବ ପରିବାର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇ ପାରିନାହାନ୍ତି । ଏକଲବ୍ୟ ବେହେରାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତ ଲିଷ୍ଟରେ ସ୍ଥାନିତ ଥିବା ବେଳେ ଦୁତିଆ ବେହେରାଙ୍କ ଆବାସ ଯୋଜନାରେ ଲିଷ୍ଟ ନ ଥିବା ଜଣାପଡିଛି। ଘର ଭାଙ୍ଗିବା ଖବର ପାଇ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ତିଖାଲି ଗ୍ରାମକୁ ଯାଇ ପରିବାର ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ୨ ପରିବାରଙ୍କୁ ୨ଟି ପଲିଥିନ ବ୍ୟବସ୍ଥା ଦେବା ପାଇଁ କହିବା ସହିତ ବ୍ଲକ ପକ୍ଷରୁ କି ପ୍ରକାର ସହାୟତା ଦିଆଯାଇ ପାରିବ ବୋଲି ବିଡିଓଙ୍କ ସହିତ ଆଲୋଚନା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମପଞ୍ଚାୟତ ଝିତ୍ରିଢୋଡା ଗାଁର ତାରେଶ୍ୱର ଭୋଇଙ୍କ ମାଟିକାନ୍ଥ ଘର ଭାଙ୍ଗିପଡ଼ିଛି। ଦୀର୍ଘଦିନରୁ ଏହି ମାଟିକାନ୍ଥ ଘରେ ତାରେଶ୍ୱର ସମେତ ତାଙ୍କ ସ୍ତ୍ରୀ ପଙ୍କଜିନୀ ଓ ଭାଇ ହେମନ୍ତ ରହୁଥିଲେ। ମାଟି ଘର ଭୁଷୁଡ଼ି ପଡିବାରୁ ଏବେ ସେମାନେ ବାସହରା ହୋଇପଡିଛନ୍ତି। ତାରେଶ୍ୱର ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସହାୟତା ସହ ଏକ ବିଜୁ ପକ୍କାଘର ଯୋଗେଇ ଦେବାକୁ ତାରେଶ୍ୱର ଦାବି କରିଛନ୍ତି।