ଗ୍ୟାସ୍‌ ସିଲିଣ୍ଡର ନିଆଁରେ ଜଳିଗଲା ଘର, ଆସବାବପତ୍ର ପୋଡ଼ି ନଷ୍ଟ

ପଟାଙ୍ଗି,୧୩ା୮(ଶରତ ଧଳ): ରୋଷେଇ କରୁଥିବା ସମୟରେ ହଠାତ୍‌ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଘରର ଆସବାବପତ୍ର ନଷ୍ଟ ହୋଇ ପରିବାର ଏକ ପ୍ରକାର ବେସାହାରା ହୋଇଯାଇଛନ୍ତି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ମେଟାଓ୍ବାଲ୍‌ସା ଗ୍ରାମର ଆପୁଲ ସ୍ବାମୀଙ୍କ କ୍ଷେତ୍ରରେ।

ସୂଚନାନୁଯାୟୀ, ବିଏସ୍‌ଏଫ୍‌ କ୍ୟାମ୍ପ ନିକଟସ୍ଥ ଉକ୍ତ ଗ୍ରାମର ଆପୁଲଙ୍କ ସ୍ତ୍ରୀ ଘରେ ରୋଷେଇ କରିବା ପାଇଁ ଗ୍ୟାସ୍‌ ଲଗାଇ କୌଣସି ଏକ କାମ ନିମନ୍ତେ ବାହାରକୁ ଆସିଥିବା ବେଳେ ହଠାତ୍‌ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିବା ସହ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଘରେ ରହିଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ପରିବାର ସଦସ୍ୟ ବେସାହାରା ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଖବର ପାଇ ପଟାଙ୍ଗି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିବାବେଳେ ସୁଙ୍କି ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ରିପୋର୍ଟ ଆସିବା ପରେ ନିଶ୍ଚିତ ସରକାରଙ୍କ ନିୟମ ଅନୁଯାୟୀ, କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Share