ଘର ଭାଙ୍ଗି ଧାନଚାଉଳ ଖାଇଗଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାରଠାରୁ ଏକ ଗୋଠଛଡ଼ା ଦନ୍ତାହାତୀ ସଦର ରେଞ୍ଜରୁ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବା ଦେଖିବାକୁ ମିଳିଛି। ରବିବାର ରାତିରେ ଏହି ରେଞ୍ଜ କ୍ଷୀରେଇଟାଙ୍ଗିରି ବିଟ୍‌ ଅଧିନସ୍ଥ କ୍ଷୀରେଇଟାଙ୍ଗିରି ଗ୍ରାମର ବଳଭଦ୍ର ନାଏକଙ୍କ ଖପର ଘର ଭାଙ୍ଗିବା ସହ ଘର ଭିତରେ ଥିବା ଧାନଚାଉଳ ଖାଇ ନଷ୍ଟ କରିଦେଇଛି। ସେହି ସମୟରେ ପରିବାର ଲୋକେ ଘର ଭିତରେ ଶୋଇଥିବା ସମୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ଏହି ଦନ୍ତା ସଦର ରେଞ୍ଜ ବେଲଦା ଗାଁ ନିକଟ ଜଙ୍ଗଲରେ ଡେରା ପକାଇଥିବା ଡେପୁଟି ରେଞ୍ଜର ଅମୂଲ୍ୟ ସେନା ପତି କହିଛନ୍ତି। ଖୁବ୍‌ଶୀଘ୍ର ହାତୀକୁ ଘଉଡ଼ାଇବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।