ତେନ୍ତୁଳିଖୁଣ୍ଟି,୪।୮(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ଗରିବ ବାସହୀନଙ୍କୁ ନିଜ ଯୋଜନାରେ ଘର ଦେଉଛନ୍ତି ବୋଲି ଡିଣ୍ଡିମ ପିଟିବାରେ ହେଳା କରୁନାହାନ୍ତି। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଶଶୀ ପ୍ରଧାନୀ, ପଦ୍ମା ପ୍ରଧାନୀ, ସୁଲୋଚନା ଖରା, ଦିନା ହରିଜନ ଭଳି ଲୋକଙ୍କୁ ଘର ମିଳିନାହିଁ। ସେମାନଙ୍କୁ ଆବସଗୃହ କାର୍ଯ୍ୟାଦେଶ ବଦଳରେ କେବଳ ପ୍ରତିଶ୍ରୁତି ମିଳୁଛି।
ଗୋପୀ ପ୍ରଧାନୀଙ୍କ ବିଧବା ସ୍ତ୍ରୀ ଶଶୀ ପ୍ରଧାନୀ ନିଜର ୪ ସନ୍ତାନଙ୍କ ସହ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ାରେ ରୁହନ୍ତି। ୨୦୨୨ରେ ସ୍ବାମୀଙ୍କ ମୃତ୍ୟୁ ପରେ ଝୁପୁଡ଼ି ଘରେ ରହୁଥିଲେ। କୁଲି କାମ କରି ଜୀବନ ବିତାଉଥିବାବେଳେ ଏବେ ବର୍ଷା ଦାଉ ସାଧୁଛି। ଲଗାଣ ବର୍ଷାରେ ତାଙ୍କ ଝାଟିମାଟି ଘର ଭୁଶୁଡ଼ିଯାଇଛି। ଆବାସ ଘର ମିଳିବ ବୋଲି ୬ବର୍ଷ ହେବ ଶୁଣାଯାଉଥିବା ଶଶୀ କହିଛନ୍ତି। ଥରକୁଥର ବିଭିନ୍ନ କାଗଜପତ୍ର ୱାର୍ଡସଭ୍ୟଙ୍କଠାରୁ ଆରମ୍ଭକରି ପଞ୍ଚାୟତ କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ୍ ମଧ୍ୟ ନେଇଛନ୍ତି। ଜିଓ ଟେକ୍ ପରେ ଆବାସ ଘର ନିଶ୍ଚିତ ମିଳିବ ଶଶୀ ଭାବିଥିଲେ। କିନ୍ତୁ ଜୁନ ମାସରେ ଲୋକଙ୍କୁ ମିଳିଥିବା ଆବାସ ଗୃହ କାର୍ଯ୍ୟାଦେଶରେ ଶଶୀ କିମ୍ବା ତାଙ୍କ ଶାଶୁ ପଦ୍ମାର ନାମ ନଥିଲା। ଗୋପୀଙ୍କ ମୃତ୍ୟୁ ପରେ ପ୍ରାଥମିକତା ଭିତ୍ତିରେ ଆବାସ ଗୃହ ଦିଆଯିବ ବୋଲି ଲୋକ ପ୍ରତିନିଧି ଶଶୀଙ୍କୁ କହିଥିଲେ ମଧ୍ୟ ଏଯାଏ ତାହା ହୋଇପାରିଲା ନାହିଁ। ଶଶୀ ପ୍ରଧାନୀଙ୍କୁ କୌଣସି ଯୋଜନାରେ ଘର ଖଣ୍ଡିଏ ଦେଇ ତାଙ୍କ ଉପରୁ ବୋଝ ସାମାନ୍ୟ ହାଲକା କରିବାକୁ ଦାବି ହୋଇଛି। ଏ ନେଇ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ମୋ ଯୋଗଦାନ ପୂର୍ବରୁ ଆବାସ ହିତାଧିକାରୀ ଚୟନ ହୋଇ ସାରିଥିଲେ। ତଥାପି ଶଶୀଙ୍କ ଭଳି ହିତାଧିକାରୀଙ୍କ ପାଇଁ କ’ଣ କରାଯାଇପାରିବ ଉପରିସ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ପଦକ୍ଷେପ ନେବି ବୋଲି କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ଶଶୀଙ୍କ ପରିବାର ପାଇଁ କ’ଣ ସୁବିଧା କରାଯାଇପାାରିବ ବୋଲି ପଚାରିବାରୁ ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ ନେବି ବୋଲି କହିଛନ୍ତି।