Categories: ମେଟ୍ରୋ

ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ୱର,୨୧।୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ସରକାରୀ ଜାଗାକୁ ଜବରଦଖଲ କରି ସେଠାରେ ରହିବା ସହ ହତ୍ୟା, ଚୋରି, ନିଶା କାରବାର ଭଳି ବିଭିନ୍ନ ଅପରାଧ ଘଟାଉଥିଲେ। ସହରରେ ଆତଙ୍କ ଖେଳାଉଥିବା ଏହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସହାୟତାରେ ପୋଲିସ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ୭ ଅଭିଯୁକ୍ତଙ୍କ ଘରକୁ ଗୁରୁବାର ଭାଙ୍ଗି ମାଟିରେ ମିଶାଯାଇଛି। ସେମାନେ ହେଲେ ୟୁନିଟ୍‌-୧ ଜିଇଡି ବସ୍ତିର ସୁଜିତ ନାୟକ, ଭାଇ ଅଜିତ ନାୟକ, ଭଣଜା ଟିକିଲି ନାୟକ, ବିଶାଲ ନାୟକ, ୟୁନିଟ୍‌-୫ କେଶରୀନଗର ବସ୍ତିର ଦିଲ୍ଲୀପ ବିଶୋଇ ଓରଫ ଦିଲୁ, କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ୟୁନିଟ୍‌-୬ ରାଧାକ୍ରୀଷ୍ଣନ ଉପର ବସ୍ତିର ସୁରେଶ ନାୟକ ଓରଫ ପପୁ।
୨୪ ଭୋର୍‌ ପ୍ରାୟ ୪ଟାରେ ୟୁନିଟ-୧ ଜିଇଡି ବସ୍ତିର ସୁଶାନ୍ତ ନାୟକ ଓରଫ କାଳିଆଙ୍କୁ ହତ୍ୟା କରାଯାଇଥିଲା। ଝଗଡ଼ାକୁ କେନ୍ଦ୍ର କରି ପଡ଼ୋଶୀ ସୁଜିତ, ଭାଇ ଅଜିତ, ଭଣଜା ଟିକିଲି, ବିଶାଲ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରିଥିଲେ। ପରେ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଦାରିଙ୍ଗବାଡ଼ିରୁ ଜୁନ ପ୍ରଥମ ସପ୍ତାହରେ ଅଜିତ, ଟିକିଲି, ବିଶାଲ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ଏମାନେ ନୟାଗଡ଼ର ହୋଇଥିବା ବେଳେ ଦୀର୍ଘଦିନ ହେବ ଜିଇଡି ବସ୍ତିରେ ସରକାରୀ ଜାଗାକୁ ଜବରଦଖଲ କରି ରହୁଥିଲେ। ଏପରିକି ସେଠାରେ ସେମାନେ ନିଶା କାରବାର ମଧ୍ୟ କରୁଥିଲେ। ସେମାନଙ୍କ ନାମରେ ୧୦ରୁ ଊର୍ଦ୍ଧ୍ୱ ମାମଲା ମଧ୍ୟ ରହିଛି। ସେହିପରି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପ୍ରଣବ ପଣ୍ଡା ତାଙ୍କ ୟୁନିଟ-୬ ସରକାରୀ କ୍ୱାର୍ଟରରେ ନ ଥିବାବେଳେ ଜୁନ୍‌ ୨୫ ରାତିରେ ୟୁନିଟ-୫ କେଶରୀ ନଗର ବସ୍ତିର ଦିଲ୍ଲୀପ , କାହ୍ନା ଓ ୟୁନିଟ-୬ ରାଧାକ୍ରୀଷ୍ଣନ୍‌ ଉପର ବସ୍ତିର ସୁରେଶ ତାଙ୍କ ଘରୁ ଚୋରି କରିଥିଲେ। ଗେଟ ୍‌ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ବହୁ ସୁନା ଅଳଙ୍କାର ନେଇଯାଇଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ଏହି ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଥିଲା। ଏମାନେ ମଧ୍ୟ ସେମାନଙ୍କ ବସ୍ତିରେ ସରକାରୀ ଜାଗାରେ ଘର କରି ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି। ବିଡିଏ ଓ ବିଏମ୍‌ସି ଟିମ୍‌ ସହାୟତାରେ ପୋଲିସ ଟିମ୍‌ ପୂର୍ବାହ୍ନ ୧୧ରୁ ଅପରାହ୍ନ ୪ ମଧ୍ୟରେ ଜେସିବି ଓ ଅନ୍ୟାନ୍ୟ ଉପରକରଣ ସାହାଯ୍ୟରେ ଅପରାଧୀଙ୍କ ଘରକୁ ମାଟିରେ ମିଶାଇ ଦେଇଥିଲା। ସୁଜିତ୍‌, ଅଜିତ, ଟିକିଲି ଓ ବିଶାଲ ରହୁଥିବା ଜିଇଡି ବସ୍ତିସ୍ଥିତ ଘର, କେଶରୀ ନଗର ବସ୍ତିସ୍ଥିତ ଦିଲ୍ଲୀପ, କାହ୍ନାଙ୍କ ଘର ଏବଂ ରାଧାକ୍ରୀଷ୍ଣନ୍‌ ବସ୍ତିର ସୁରେଶଙ୍କ ଘର ଭଙ୍ଗାଯାଇଥିଲା। ଏହି ଘରଭଙ୍ଗା ଅଭିଯାନରେ ଏଥିରେ ଜୋନ୍‌-୧ ଏସିପି ମାନସ ଗଡନାୟକ, କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ଥିଲେ।

Share