ମୁହଁ ଫେରାଇଲେଣି ଗୃହିଣୀ

ବଇଣ୍ଡା,୭।୬ ବଢ଼ି ବଢ଼ି ଚାଲିଛି ରନ୍ଧନଗ୍ୟାସ୍‌ ଦର। ସିଲିଣ୍ଡର ପିଛା ଦାମ୍‌ ହଜାରେ ଟଙ୍କା ଟପିଯିବା ପରେ ଆଉ ସହ୍ୟ କରିପାରୁନାହାନ୍ତି ଗୃହିଣୀ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସେମାନେ ଚିନ୍ତାରେ ଥିବାବେଳେ ରନ୍ଧନ ଗ୍ୟାସ୍‌ ଦର କ୍ରମାଗତ ଭାବେ ବଢ଼ାଯିବା ପରିବାର ଉପରେ ଅତିରିକ୍ତ ବୋଝ ଲଦି ଦେଉଛି। ତେଣୁ ରନ୍ଧନ ଗ୍ୟାସ୍‌ରୁ ମୁହଁ ଫେରାଇ ଏବେ ଗୃହିଣୀମାନେ କାଠ ଓ କୋଇଲା ଚୁଲିକୁ ଭରସା କରୁଥିବା ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବହୁଳ ଭାବେ ଦେଖିବାକୁ ମିଳୁଛି। କେବଳ ସାଧାରଣ ଗୃହିଣୀ ନୁହନ୍ତି, ଉଜ୍ଜଳା ଯୋଜନାର ହିତାଧିକାରୀମାନେ ମଧ୍ୟ ଏତେ ଅର୍ଥ ଦେଇ ଗ୍ୟାସ୍‌ ଉଠାଇବା ଦିଗରେ ଆଗ୍ରହୀ ନ ଥିବା ଦେଖାଯାଉଛି।
ଆଠମଲ୍ଲିକ ଉପଖଣ୍ଡରେ ମୋଟ୍‌ ୩୯ ହଜାର ୬୯୭ ଗ୍ୟାସ୍‌ ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ହଜାର ୩୬୧ ହେଉଛନ୍ତି ଉଜ୍ଜଳା ହିତାଧିକାରୀ। ଏମାନଙ୍କୁ ଗ୍ୟାସ୍‌ ଯୋଗାଣ ପାଇଁ ୪ଟି ବିତରକ ସଂସ୍ଥା ନିଯୁକ୍ତ ହୋଇଛନ୍ତି। କେବଳ ଆଠମଲ୍ଲିକ ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ନିକଟରେ ୧୨ ହଜାର ୫୫୩ ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୬ ହଜାର ୩୫୪ ହେଉଛନ୍ତି ଉଜ୍ଜଳା ଯୋଜନାର ହିତାଧିକାରୀ। ସେହିପରି ଠାକୁରଗଡ ଅଞ୍ଚଳ ପାଇଁ ଥିବା ବିତରକଙ୍କ ନିକଟରେ ୩୪୫୪ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୨୦ ଜଣ ଉଜ୍ଜଳା ଯୋଜନାରେ ସାମିଲ ହୋଇଛନ୍ତି। କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ମୋଟ୍‌ ୧୦ ହଜାର ୧୩୯ ଜଣ ଗ୍ରାହକଙ୍କ ମଧ୍ୟରୁ ୭ ହଜାର ୨୫୧ ଜଣ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। କିଶୋରନଗର ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କର ୧୩ ହଜାର ୫୫୧ ଜଣ ଗ୍ୟାସ ଗ୍ରାହକ ଥିବାବେଳେ ସେଥିରୁ ୯ ହଜାର ୨୩୬ ଜଣ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ଜଣାପଡିଛି। ୨୦୨୧ ମେ ଓ ଜୁନ ମାସରେ ଗ୍ୟାସ ସିଲିଣ୍ଡର ଦର ୮୫୩ ଟଙ୍କା ଥିବାବେଳେ ଜୁଲାଇରେ ୮୭୮.୫୦ ଟଙ୍କା, ଅଗଷ୍ଟରେ ୯୦୩.୫୦ ଟଙ୍କା, ସେପ୍ଟେମ୍ବରରେ ପୁଣି ୨୫ ଟଙ୍କା ବଢି ୯୨୮.୫୦ ଟଙ୍କା, ଅକ୍ଟୋବରରେ ୧୫ ଟଙ୍କା ବଢି ୯୪୩. ୫୦ ହୋଇଥିଲା। ୨୦୨୨ ମାର୍ଚ୍ଚରେ ପୁଣି ସରକାର ୫୦ ଟଙ୍କା ବଢାଇବାରୁ ଦର ୯୯୩.୫୦ ଟଙ୍କା ହୋଇଥିଲା। ମେ ୨୦୨୨ରେ ଆଉ ୫୩ ଟଙ୍କା ବଢାଯାଇଥିବାରୁ ଦର ଏବେ ୧୦୪୬.୫୦ ଟଙ୍କା ରହିଛି। କିଛି ମାସ ବ୍ୟବଧାନରେ ଦର ବଢୁଥିବାରୁ ରନ୍ଧନ ଗ୍ୟାସ୍‌ ବ୍ୟବହାର କରିବା ଏବେ ସାଧାରଣ ଗୃହିଣୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। କେବଳ ଜରୁରୀ ସମୟରେ ଗ୍ୟାସ ବ୍ୟବହାର କରୁଥିବା ଏହି ଗୃହିଣୀମାନେ ପୂର୍ବପରି କାଠ ଓ କୋଇଲା ଚୁଲିରେ ରୋଷେଇ କରୁଛନ୍ତି। ଉଜ୍ଜଳା ଯୋଜନାରେ ବିନା ମୂଲ୍ୟରେ ସଂଯୋଗ ପାଇଥିବା ଉପଖଣ୍ଡର ୨୫ ହଜାର ୩୬୧ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ସିଲିଣ୍ଡର ମଧ୍ୟ କିଣି ନ ଥିବା ଜଣାପଡିଛି। ଗ୍ୟାସ ଅପେକ୍ଷା କାଠ ଚୁଲି ଶସ୍ତା ପଡୁଥିବା କେତେଜଣ ହିତାଧିକାରୀ ପ୍ରକାଶ କରିଛନ୍ତି। ଆଠମଲ୍ଲିକ ଅଞ୍ଚଳର ଗ୍ୟାସ ବ୍ୟବସାୟୀ ଅଞ୍ଜଳି ସାହୁ କହିଛନ୍ତି, ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁ ଉଜ୍ଜଳା ହିତାଧିକାରୀମାନେ ଗ୍ୟାସ୍‌ ନେଉନାହନ୍ତି। ୩୫ ପ୍ରତିଶତ ବ୍ୟବସାୟ ହ୍ରାସ ପାଇଥିବା ବ୍ୟବସାୟୀ ସାହୁ ପ୍ରକାଶ କରିଛନ୍ତି।

Share