Advertisement

ମାଦଳୀ ମୁହାଣରେ ବଢୁଛି ଅନୁପ୍ରବେଶ

ମହାକାଳପଡ଼ା,୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ହୁକିଟୋଲା-ମାଦଳୀ ମୁହାଣରେ ବେଆଇନ ଭାବେ ସ୍ଥାନୀୟ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀଙ୍କ ଆଡ୍ଡା ବଢୁଛି। ବନ ବିଭାଗ ପକ୍ଷରୁ ମାଦଳୀଠାରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇ ଅନୁପ୍ରବେଶଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ କର୍ମଚାରୀ ନିୟୋଜିତ କରାଯାଇଛି। ମାତ୍ର କ୍ୟାମ୍ପ୍‌ ନିକଟରେ କର୍ମଚାରୀ ଉପସ୍ଥିତ ରହିଥିଲେ ମଧ୍ୟ କିପରି ଓ କେଉଁ ପରିସ୍ଥିତିରେ ବଡ଼ ବଡ଼ ଡଙ୍ଗା, ଚାପା ଡଙ୍ଗା, ଟ୍ରଲରଗୁଡ଼ିକ ଏଠାରେ ଲଙ୍ଗର ପକାଇଛନ୍ତି ତାହା ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବାଲିଢିପରେ ଆଡ୍ଡା ଜମାଇବା ସହ ସମୁଦ୍ରରୁ ବିରଳ ପ୍ରଜାତିର ମାଛ, କଙ୍କଡ଼ା ଓ ଅନ୍ୟ ସାମୁଦ୍ରିକ ଜୀବ ଧରି ସିଧାସଳଖ ସମୁଦ୍ର ପଥଦେଇ ପାରାଦୀପକୁ ଚାଲାଣ କରାଯାଉଛି।
ସୂଚନାଥାଉ କି, ବିଦେଶାଗତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟରେ କିଭଳି ବନ କର୍ମଚାରୀମାନେ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀଙ୍କଠାରୁ କ୍ୟାମ୍ପ୍‌ର କର୍ମଚାରୀମାନଙ୍କ ସହ ମୋଟାଅଙ୍କର ଡିଲ୍‌ ହୋଇଥିବା କୁହାଯାଇଛି। ସେମାନଙ୍କଠାରୁ ଇଟୁଆ କଙ୍କଡ଼ା ଓ ସାମୁଦ୍ରିକ ସ୍ବାଦିଷ୍ଟ ମାଛ ନେଇ ଏଠାରେ ରଖିବାକୁ ପ୍ରଶ୍ରୟ ଦିଆଯାଉଛି। ଏଠାରେ ସାହେଲେ ତଳିଆ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀମାନେ ଗଞ୍ଜେଇ, ଦେଶୀ, ବିଦେଶୀ ମଦ ଦେଇ ଆପ୍ୟାୟିତ କରି ନିଷିଦ୍ଧାଞ୍ଚଳରେ ପ୍ରବେଶକରି କଙ୍କଡ଼ା, ମାଛ ଧରିବାରେ ସକ୍ଷମ ହେଉଛନ୍ତି। ନିଷିଦ୍ଧାଞ୍ଚଳର ସୀମା ସୁରକ୍ଷା ଚିହ୍ନଟ ପଏଣ୍ଟ (ବୈଇୟଁା)କୁ ଭେଦ କରି କିପରି ପ୍ରବେଶ କରୁଛନ୍ତି। ଏଥିରେ ବନ କର୍ମଚାରୀ ଖୁସ୍‌ ମାଛଧରାଳି ବି ଖୁସ୍‌ ବୋଲି କେତେଜଣ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ, ରାଜନଗର ଅଞ୍ଚଳରେ କଙ୍କଡ଼ା ଧରି ଖୁଲମ୍‌ଖୁଲା ବଜାରରେ ବିକ୍ରି କରିବା କଟକଣା କରାଯାଇଛି।
ସାମୁଦ୍ରିକ ଅଞ୍ଚଳ ମହାକାଳପଡ଼ା, ବତୀଘର, ଜମ୍ବୁ, ରାମନଗର, ଖରିନାସି ଆଦି ଅଞ୍ଚଳରୁ ଜଳପଥ ଓ ସ୍ଥଳପଥରେ ଦୈନିକ ଲକ୍ଷାଧିକ ଟଙ୍କାର ସାମୁଦ୍ରିକ ଜୀବ ଚାଲାଣ ହେଉଛି। ଅନ୍ୟପକ୍ଷରେ ଅଞ୍ଚଳରେ ଶହ ଶହ କଙ୍କଡ଼ା ଡିପୋ ଖୋଲି ବ୍ୟବସାୟୀମାନେ ମାଲାମାଲ୍‌ ହେଉଛନ୍ତି। ଏତେସବୁ ବେଆଇନ କାର୍ଯ୍ୟ ଖୁଲମ୍‌ଖୋଲା ଚାଲୁଥିଲେ ମଧ୍ୟ ବନ ବିଭାଗ କିପରି ଜାଣିପାରୁନି, ନା ଜାଣି ଅଜଣା ରହୁଛି ଏନେଇ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସଙ୍କୁ ପଚାରିବାରେ ଏଭଳି ଖବର ନଜରକୁ ଆସିନାହିଁ। ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share