ଲଣ୍ଡନ,୧୦।୮: ଏମଏସ ଧୋନୀଙ୍କ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଅଭିଜ୍ଞ ବୋଲର ଇମ୍ରାନ ତାହିର ଦି ହଣ୍ଡ୍ରେଣ୍ଡ ଲିଗରେ ଏକ ଚମତ୍କାର ବୋଲିଂ କରିଥିଲେ। ଏହି ଲିଗ୍ର ସବୁଠୁ ବୟସ୍କ ତାହିର ମଧ୍ୟ ୪୨ ବର୍ଷ ବୟସରେ ଲିଗ୍ର ପ୍ରଥମ ହ୍ୟାଟ୍ରିକ ସହିତ ୫ଟି ଉଇକେଟ ନେଇ ନିଜର ଫିଟନେସ ପ୍ରମାଣ କରିଛନ୍ତି। ପୂର୍ବରୁ ଏହି ଲିଗ୍ରେ କୌଣସି ବୋଲର୍ ହ୍ୟାଟ୍ରିକ୍ ନେଇ ନ ଥିଲେ। ବର୍ମିଂହାମ ଫିନିକ୍ସ ପାଇଁ ଖେଳୁଥିବା ତାହିର ୱେଲ୍ସ ଫାୟାର ବିପକ୍ଷରେ ୨୫ ରନ ଦେଇ ୫ ଉଇକେଟ ନେଇଥିଲେ।
ଏହି ମ୍ୟାଚ ପୂର୍ବରୁ ତାହିର ନିଜର ପୁରୁଣା ଫର୍ମକୁ ଫେରାଇ ଆଣିବାକୁ ସଂଘର୍ଷ କରୁଥିଲେ। ଏହି ମ୍ୟାଚ ପୂର୍ବରୁ ସେ ଏହି ଲିଗରେ ୫ଟି ମ୍ୟାଚରେ ମାତ୍ର ୨ଟି ଉଇକେଟ୍ ନେଇପାରିଥିଲେ। କିନ୍ତୁ ୱେଲ୍ସ ଫାୟାର ବିପକ୍ଷରେ ସେ ତାଙ୍କର ପୁରୁଣା ଫର୍ମରେ ନଜର ଆସିଥିଲେ। ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।