ଦନ୍ତାକୁ ମାରି ଦାନ୍ତ ଲୁଟି ନେଲେ ଶିକାରୀ

ନୀଳଗିରି,୨୪।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ। ଗୁରୁବାର କୁଲଡ଼ିହାରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଶିକାରୀମାନେ ହାତୀକୁ ମାରି ଦାନ୍ତକୁ କାଟି ନେଇଥିବା ଜଣାପଡ଼ିଛି।
ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ରହିଛନ୍ତି। ଗତ ଫେବୃୟାରୀ ୨୭ରେ ଏକ ଛୁଆହାତୀର ମୃତ୍ୟୁ ଘଟିଥିବା ବେଳେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ୭ଟି ହାତୀର ମୃତ୍ୟୁ ହେଲାଣି। ଗୁରୁବାର କୁଲଡିହା ଅଭୟାରଣ୍ୟର କଳମାଚତୁରୀଠାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପ୍ରକୃତିପ୍ରେମୀ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଓ ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଜଙ୍ଗଲ ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରାଇ ଦିଆଯାଉନାହଁି। ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଦ୍ୱାରା ଦନ୍ତାହାତୀକୁ ମାରି ଦାନ୍ତ କାଟି ନେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବନାଞ୍ଚଳବାସୀ ଦାବି କରିଛନ୍ତି। ହାତୀ ସୁରକ୍ଷା ନେଇ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଚିନ୍ତା ପ୍ରକାଶ କରିବା ସହ ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।
ଏନେଇ ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂହଙ୍କୁ ପଚାରିବାରୁ ସେ ଖବର ପାଇବା ପରେ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଉଛନ୍ତି ବୋଲି କହିଥିଲେ।