Advertisement

ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ଗର୍ଭବତୀ ସ୍ତ୍ରୀର ଗଳା କାଟିଲେ ସ୍ବାମୀ ….

କେସିଙ୍ଗା,୩୦।୮(ଡି.ଏନ୍‌.ଏ.): ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ସାଙ୍ଗ ସହ ମିଶି ସ୍ତ୍ରୀର ଗଳା କାଟିଲେ ସ୍ବାମୀ। ଅଚେତ ହୋଇ ଯିବାରୁ ଛାଡ଼ି ଚାଲି ଆସିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଧରାମାଲ ଗ୍ରାମରେ। ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବାଇଦାର ନୂଆ ପାଲି ଗ୍ରାମର ନିହାର ସାହାଡ଼ି (୨୩) ନାମକ ଯୁବକ ଉକ୍ତ ଗ୍ରାମର ପ୍ରକାଶିନୀ ସାହାଡ଼ି (୨୨) ଙ୍କୁ ଗତ ବର୍ଷ ପ୍ରେମ ବିବାହ କରିଥିଲେ। ପ୍ରକାଶିନୀଙ୍କୁ ମାମୁ ଘର ବୁଲାଇ ନେବା କହି ରବିବାର ସାରେ ଆସିଥିଲେ। ସାଙ୍ଗରେ ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ। ସାରେ ପ୍ରକାଶିନୀଙ୍କୁ ଜଙ୍ଗଲକୁ ନେଇ ଗଳାକାଟି ଦେଇଥିଲେ। ଚେତାଶୂନ୍ୟ ହେବାରୁ ଉଭୟ ତାଙ୍କୁ ସେଠାରେ ଛାଡି ଫେରାର ହୋଇ ଯାଇଥିଲେ। ପ୍ରକାଶିନୀ ଜଙ୍ଗଲ ନିକଟରେ ଥିବ ଏକ କୁଡ଼ିଆ ଘରେ ରାତ୍ରି କଟାଇ ଥିଲେ।
ସୋମବାର ସକାଳେ ଜମି ମାଲିକ କ୍ଷେତକୁ ଯାଇ ତାଙ୍କୁ ଦେଖିଥିଲେ। ଏ ନେଇ ପଲମ ଫାଣ୍ଡିକୁ ଖବର ଦେଇଥିଲେ।
ପଲମ ଫାଣ୍ଡି ଅଧିକାରୀ ଖବର ପାଇ କେସିଙ୍ଗା ପୋଲିସକୁ ଜଣାଇବାରୁ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ସେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରକାଶିନୀ ଗୁରୁତର ହେବାରୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ ୩୧୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel