ସ୍ତ୍ରୀଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ବିଷ ପିଇଲେ ସ୍ବାମୀ

କଣ୍ଟାପଡ଼ା,୧୨ା୧୨(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ରବିବାର ହେମଦସ୍ତାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷପିଇ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କଟକ ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା(୩୫) ଓ ଗରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ହେଲେ ବିଶ୍ୱନାଥ ବେହେରା(୩୬)। ପୋଲିସ କଳ୍ପନାଙ୍କ ମୃତଦେହ ଜବତ କରିବା ସହ ଏ ସଂକ୍ରାନ୍ତରେ ଗୋବିନ୍ଦପୁର ଥାନା କେସ୍‌ ନଂ ୧୩୮/୨୧ରେ ଏକ ମାମଲା ରୁଜୁ କରିଛି।

ଖବର ନେବାରୁ ଜଣାପଡ଼ିଛି, ଗୋବିନ୍ଦପୁର ଥାନାସ୍ଥିତ ତରଡ଼ପଡ଼ା ଗ୍ରାମର ବିଶ୍ୱନାଥ ନିଜ ଭାଉଜ କଳ୍ପନାଙ୍କୁ ନେଇ ଗତ କିଛିବର୍ଷ ତଳେ ଫେରାର ହୋଇ ଯାଇଥିଲେ। ତେବେ ଗତ ୪ ବର୍ଷହେଲା ଉଭୟ ଏହି ଥାନାସ୍ଥିତ ଶଙ୍ଖୁଆ ଗ୍ରାମରେ ଘରଭଡ଼ା କରି ରହି ଆସୁଥିଲେ। ତେବେ ସ୍ତ୍ରୀ- ସ୍ବାମୀଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ରବିବାର ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବାରୁ ବିଶ୍ୱନାଥ କ୍ରୋଧରେ ଏକ ହେମଦସ୍ତାରେ କଳ୍ପନାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅଡ଼ଶପୁର ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଘରେ ଥିବା ଅବସ୍ଥାରେ ବିଶ୍ୱନାଥଙ୍କ ପାଟିରୁ ରକ୍ତ ଓ ଫେଣ ବହାରିବାରୁ ପୋଲିସ ବିଶ୍ୱନାଥଙ୍କୁ ନିଜ ଜିପ୍‌ରେ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲା। ବିଶ୍ୱନାଥ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଜଣାପଡ଼ିଛି। ସେମାନଙ୍କର ୨ଟି ଶିଶୁପୁତ୍ର ଅଛନ୍ତି।

Share