ପଞ୍ଚାୟତ ବୈଠକରୁ ମିଳିଲାନି ସୁଫଳ, ବିଷ ପିଇଲେ ସ୍ବାମୀ

ମାଲକାନଗିରି, ୨୩ା୫(ଡି.ଏନ.ଏ.): ବସିଲା ପଞ୍ଚାୟତ, ବିଷ ପିଇଲେ ସ୍ବାମୀ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି -୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର। ସଞ୍ଜିତ୍‌ ନିକଟସ୍ଥ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡିଆମୀଙ୍କୁ ଭଲପାଇ ମେ ୧୪ ତାରିଖରେ ବିବାହ କରିଥିଲେ। ମାତ୍ର ସେମାନଙ୍କ ଜାତି ଲୋକେ ଉଭୟଙ୍କୁ ଏକାଠି ରହିବାକୁ ଦେଇ ନ ଥିଲେ। ଫଳରେ ଗତ ୧୬ ତାରିଖରେ ଗାୟତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ। ସଞ୍ଜିତ ସ୍ତ୍ରୀଙ୍କୁ ଆଣିବାକୁ ବୋଇଲାପାରି ଗ୍ରାମକୁ ଯାଇଥିଲେ ମଧ୍ୟ ପରିବାର ଲୋକେ ଗାୟତ୍ରୀଙ୍କୁ ଛାଡି ନ ଥିଲେ। ଏହାକୁ ନେଇ ୨୦ ତାରିଖରେ ଗ୍ରାମରେ ପଞ୍ଚାୟତ ବୈଠକ ବସିଥିଲା। ଏଥିରୁ କିଛି ସୁଫଳ ମିଳି ନ ଥିଲା। ପରେ ସଞ୍ଜିତ ଏବଂ ପରିବାର ଲୋକେ ଘରକୁ ଫେରି ଆସିଥିଲେ। ରବିବାର ସଞ୍ଜିତ୍‌ ଜମିକୁ ଚାଷ କରିବାକୁ ଯାଇ ବିଷ ପିଇ ଦେଇଥିଲେ। ତାଙ୍କୁ ପରିବାର ଲୋକେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି।