Advertisement

ସ୍ତ୍ରୀଙ୍କୁ ନିଶା ଦେଇ ୫୦ ଜଣଙ୍କ ଦ୍ୱାରା ବଳାତ୍କାର କଲେ ସ୍ବାମୀ

ପ୍ୟାରିସ୍‌,୨୦।୧୨:ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆଭିଗ୍ନନ ସହରରୁ ଆସିଥିବା ଏକ ବଳାତ୍କାର ମାମଲା ସାରା ବିଶ୍ୱକୁ ଚକିତ କରିଛି। ଏହି ମାମଲାରେ ୫୧ ଜଣ ଅଭିଯୁକ୍ତଙ୍କୁ ଆଭିଗ୍ନନର ଏକ ଅଦାଲତ ଗୁରୁବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ପୀଡ଼ିତା ଗିସେଲେ ପେଲିକଟ(୭୨)ଙ୍କ ଧୈର୍ଯ୍ୟ ଏବଂ ସାହସକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଗିସେଲେଙ୍କ ପୂର୍ବ ସ୍ବାମୀ ଡୋମିନିକ୍‌ ପେଲିକଟ(୭୨) ପ୍ରାୟ ଏକ ଦଶନ୍ଧି ଧରି ତାଙ୍କୁ ବଳାତ୍କାର କରି ଆସୁଥିଲେ। ସେହିପରି ଡୋମିନିକ୍‌ ଗିସେଲେଙ୍କୁ ନିଶା ଦ୍ରବ୍ୟ ସେବନ କରାଇ ତାଙ୍କୁ ବେହୋସ କରାଉଥିଲେ ଓ ଏହାପରେ ସେ ଅଚିହ୍ନା ବ୍ୟକ୍ତିମାନଙ୍କ ସହ ଗିସେଲେଙ୍କ ଶରୀରକୁ ବ୍ୟବସାୟ କରୁଥିଲେ। ଅନ୍‌ଲାଇନ ମାଧ୍ୟମରେ ଉକ୍ତ ଅଚିହ୍ନା ବ୍ୟକ୍ତିମାନଙ୍କ ସହ ଡୋମିନିକ୍‌ ଭେଟୁଥିଲେ। ସେମାନଙ୍କଠାରୁ ଡୋମିନିକ୍‌ ମନ ମୁତାବକ ଅର୍ଥ ସଂଗ୍ରହ କରି ବେହୋସ ଅବସ୍ଥାରେ ଗିସେଲେଙ୍କୁ ବଳାତ୍କାର କରିବା ପାଇଁ ଅନୁମତି ପ୍ରଦାନ କରୁଥିଲେ।
୍ଯ ୫ ବିଚାରପତିଙ୍କ ଏକ ପ୍ୟାନେଲ ମାମଲାରେ ଡୋମିନିକଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସେହିପରି ଗିସେଲେଙ୍କୁ ବଳାତ୍କାର କରିଥିବାରୁ ୪୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ବଳାତ୍କାର ଉଦ୍ୟମ ପାଇଁ ୨ ଜଣ ଏବଂ ଯୌନ ନିର୍ଯାତନା ପାଇଁ ମଧ୍ୟ ୨ ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋମିନିକ୍‌ଙ୍କୁ ଦଣ୍ଡାଦେଶ ମିଳିବା ପରେ ଅଦାଲତ ବାହାରେ ପୀଡ଼ିତା ଗିସେଲେଙ୍କ ସମର୍ଥନରେ ଅପେକ୍ଷା କରି ରହିଥିବା ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା।
ଏହି ମାମଲାର ଶୁଣାଣି ଚାଲିଥିବାବେଳେ କୋର୍ଟରେ ଅଧିକାଂଶ ଅଭିଯୁକ୍ତ ଦୋଷ ସ୍ବୀକାର କରି ନ ଥିଲେ। ଗିସେଲେ ଓ ଡୋମିନିକ୍‌ଙ୍କ ମଧ୍ୟରେ ସହମତି ଭିତ୍ତିରେ କୌଣସି ସେକ୍ସ ଗେମ୍‌ ଚାଲିଥିବା ନେଇ ସେମାନେ ଭାବିଥିଲେ ବୋଲି ଅଭିଯୁକ୍ତମାନେ କହିଥିଲେ। ତେବେ ଡୋମିନିକ୍‌ ନିଜ ଦୋଷ ସ୍ବୀକାର କରି କହିଥିଲେ, କୋର୍ଟରେ ଉପସ୍ଥିତ ଅନ୍ୟ ଅଭିଯୁକ୍ତଙ୍କ ପରି ସେ ମଧ୍ୟ ଜଣେ ବଳାତ୍କାରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share