ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀରେ ଭାସିଗଲେ ସ୍ବାମୀ, ମିଳିନି ପତ୍ତା

ଚିତ୍ରକୋଣ୍ଡା,୨୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀ ନଦୀରେ ଭାସି ଯାଇଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳିନାହିଁ।

ପାପରମେଟେଲା ଥାନାଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଶନିବାର ପୂର୍ବାହ୍ନରେ କାଦଗୁମା ଗ୍ରାମର ମଙ୍ଗେଲ ପାଙ୍ଗ(୪୫) ସ୍ତ୍ରୀଙ୍କ ସହ ନଦୀରେ ମାଛ ମାରୁଥିଲେ। ହଠାତ୍‌ ମଙ୍ଗେଲ ମାଛ ଧରୁଥିବା ଅବସ୍ଥାରେ ଡଙ୍ଗାରୁ ପାଣିକୁ ଖସି ପଡ଼ିଥିଲେ। ଫଳରେ ସେ ଭାସି ଯାଇଥିଲେ। ସ୍ତ୍ରୀ ତାଙ୍କୁ ଧରିବାରେ ସକ୍ଷମ ହୋଇ ନ ପାରି ଲୋକଙ୍କୁ ଡାକ ପକାଇଥିଲେ। ଲୋକେ ଖୋଜା କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ସହ ଚିତ୍ରକୋଣ୍ଡା ଦମକଳ କେନ୍ଦ୍ରର ଦୁଇଟି ଟିମ୍‌ ଖୋଜା ଖୋଜି କରିଥିଲେ ସୁଦ୍ଧା ମଙ୍ଗେଲ ନିଖୋଜ ଅଛନ୍ତି।

Share