ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସ୍ବାମୀ

ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଛି। ଏହା ଏକ ହତ୍ୟା ଘଟଣା ବୋଲି ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ଦାରିଙ୍ଗବାଡ଼ି ଥାନା ବି. ଡକେବାଡି ଗ୍ରାମର ଶାନ୍ତନା ନାୟକ। ଶାନ୍ତନା ମଙ୍ଗଳବାରଠାରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଗୁରୁବାର ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଶାନ୍ତନାଙ୍କ ସ୍ବାମୀ ଯୋଜନାବଦ୍ଧ ଭାବେ ଏହି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପୋଲିସ ଶାନ୍ତନାଙ୍କ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଶାନ୍ତନାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଦୀର୍ଘବର୍ଷ ତଳେ ପ୍ରେମ ବିବାହ କରିଥିଲେ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବାରୁ କୁଆଡ଼େ ଶାନ୍ତନାଙ୍କୁ ତାଙ୍କ ଶାଶୁଘର ଲୋକେ ଗ୍ରହଣ କରୁ ନ ଥିଲେ। ଇତିମଧ୍ୟରେ ତାଙ୍କର ବିବାହ ପ୍ରାୟ ୭ ବର୍ଷ ବିତି ଯାଇଥିବା ବେଳେ କେଉଁ କାରଣରୁ ଶାନ୍ତନାଙ୍କୁ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ପୋଲିସ କହିଛି। ଏଥିରେ କେବଳ ତାଙ୍କ ସ୍ବାମୀ ସାମିଲ ଅଛନ୍ତି ନା ତାଙ୍କ ସହ ଆଉ କେହି ସାମିଲ ଅଛନ୍ତି ତାହା ପୋଲିସ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ଏନେଇ ପୋଲିସ ଏକ କେସ୍‌ ନଂ ୧୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ନମୁନା ସଂଗ୍ରହ କରୁଛନ୍ତି।

Share