ଶ୍ୱଶୁର ଘରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ଭଦ୍ରକ ଅଫିସ,୨୫ା୫ ଭାଇ ବାହାଘରକୁ ସ୍ବାମୀଙ୍କୁ ନେଇ ସାଥୀରେ ଆସିଥିଲେ ଭଉଣୀ। ଭଲରେ ଖାଇପିଇ ରାତିରେ ସ୍ତ୍ରୀ-ସ୍ବାମୀ ଶୋଇଥିଲେ। କିନ୍ତୁ ରାତିରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା କେଜାଣି ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରିରେ କାଟି ଜୀବନ ନେଇଯାଇଛନ୍ତି। ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଜିଲା ଅଗରପଡ଼ା ଥାନା ହଜାରୀ ସାହିରେ।

ସୂଚନାନୁଯାୟୀ, ହଜାରୀ ସାହିର ବିନୋଦ ସିଂହଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କୁ ଉତ୍ତରପ୍ରଦେଶ ଆଗ୍ରାର ରବୀନ୍ଦ୍ର କୁମାର ସିଂହ ୧୮ ବର୍ଷ ତଳେ ବିବାହ କରିଥିଲେ। ଦୁହେଁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରବୀନ୍ଦ୍ର ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ୱଶୁର ଘରକୁ ଆସିଥିଲେ। ବୁଧବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ହେବାରୁ ରବୀନ୍ଦ୍ର ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ବେକ କାଟି ହତ୍ୟା କରିଥିଲେ। ପରେ ରାତିରେ ନିକଟସ୍ଥ ପୁରୁଷଣ୍ଡ ଗ୍ରାମରେ ଲୁଚି ରହିଥିଲେ। ସକାଳୁ ଝିଅର ମୃତଦେହ ଦେଖିଥିବା ବେଳେ ଜ୍ୱାଇଁ ରବୀନ୍ଦ୍ର ଘରେ ନ ଥିଲେ। ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ରବୀନ୍ଦ୍ରଙ୍କୁ ପୁରୁଷଣ୍ଢ ଗ୍ରାମରୁ କାବୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ସ୍ବାମୀ ରବୀନ୍ଦ୍ରଙ୍କୁ ଥାନାରେ ଅଟକ ରଖା ଯାଇଥିବା ଅଗରପଡ଼ା ଥାନାଧିକାରୀ ମୋନାଲିସା କର ସୂଚନା ଦେଇଛନ୍ତି।