ସ୍ତ୍ରୀଙ୍କୁ ଛାତରୁ ଠେଲିଦେଲେ ସ୍ବାମୀ, ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ,୧୮ା୬: ଉତ୍ତରପ୍ରଦେଶର ଚିତ୍ରକୂଟରେ ଏକ ବିବାହ ସମାରୋହକୁ ବରଯାତ୍ରୀରେ ଆସିଥିବା ଯୁବତୀଙ୍କୁ ରଙ୍ଗ ଲଗାଇବା ପାଇଁ ସ୍ତ୍ରୀ ମନା କରିବାରୁ ସ୍ବାମୀ ରାଗରେ ସ୍ତ୍ରୀଙ୍କୁ ଛାତ ଉପରୁ ଠେଲି ଦେଇଛନ୍ତି। ଏହି ଘଟଣା ମାଣିକପୁର ଥାନା ଅଧୀନସ୍ଥ ଅଣ୍ଟାଡିହ ଗାଁରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଉକ୍ତ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପବନ କୁମାର ତାଙ୍କର କିଛି ଲୋକଙ୍କୁ ପଠାଇ ଶୁକ୍ରବାର ରାତିରେ ବିବାହ ଉତ୍ସବରେ ଆସିଥିବା ଝିଅମାନଙ୍କୁ ରଙ୍ଗ ଲଗାଇବାକୁ ସ୍ତ୍ରୀ ଉର୍ମିଳାଙ୍କୁ କହିଥିଲେ। ସ୍ତ୍ରୀ ମନା କରିବାରକୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପବନ କୁମାର ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ପୀଡ଼ିତାଙ୍କ ଭାଇ ନାଥୁ ପ୍ରସାଦ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଉର୍ମିଳାଙ୍କୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲା ଡାକ୍ତରଖାନା ପଠାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Share