ସ୍ତ୍ରୀ ଘରକୁ ନ ଆସିବାରୁ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୩୦ା୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଖିଲଚିପୁର ତହସିଲଠାରୁ ୭ କିଲୋମିଟର ଦୂର ଦେବଳୀ ଗାଁର ଜଣେ ମହିଳା ସ୍ବାମୀଙ୍କଠାରୁ କେମିତି ମୁକ୍ତି ପାଇବେ ସେ ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି।

ସ୍ବାମୀଙ୍କ ସହ ପାଟିତୁଣ୍ଡ ହେବାରୁ କାଳୀ ବାଇ ନାମକ ଜଣେ ମହିଳା ଶାଶୁଘର ଛାଡ଼ି ବାପଘର ଚାଲିଆସିଥିଲେ। ତାଙ୍କ ସ୍ବାମୀ ଜ୍ଞାନ ସିଂ ତାଙ୍କୁ ନେବା ପାଇଁ ବାରମ୍ବାର ଶ୍ୱଶୁର ଘରକୁ ଆସୁଥିଲେ। ମାତ୍ର କାଳୀ ଶାଶୁଘରକୁ ଯାଉ ନ ଥିଲେ। ଏଥିରେ ଉତ୍ତ୍ୟେକ୍ତ ହୋଇ ଜ୍ଞାନ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ। ଫଳରେ ଗ୍ରାମବାସୀଙ୍କର ଅନେକ କ୍ଷତି ଘଟିଛି। ଏହାକୁ ଭରଣା କରିବା ପାଇଁ କାଳୀଙ୍କ ପିତା ଅମୃତଲାଲଙ୍କୁ କହିଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ, ଖିଲଚିପୁର ଥାନା ଅନ୍ତର୍ଗତ ଦେବଳୀ ଗାଁ ନିବାସୀ ଅମୃତଲାଲଙ୍କ ଝିଅ କାଳୀ ୪ ବର୍ଷ ତଳେ ହତାଇ ଖେଡ଼ା ଗାଁର ଜ୍ଞାନ ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ଜ୍ଞାନ ଶ୍ୱଶୁର ଘରୁ ଅଧିକ ଯୌତୁକ ଆଣିବା ପାଇଁ କାଳୀଙ୍କ ଉପରେ ଚାପ ପକାଉଥିଲେ। ଏହି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କଳିତକରାଳ ଲାଗି ରହୁଥିଲା। ଦିନେ ଶାଶୁଘର ଛାଡ଼ି ବାପଘରକୁ ଚାଲିଆସିଥିଲେ କାଳୀ। ସ୍ତ୍ରୀଙ୍କୁ ନେବା ପାଇଁ ଜ୍ଞାନ ଶ୍ୱଶୁର ଘର ଗାଁକୁ ଆସିଥିଲେ। କାଳୀ ମନା କରିବାରୁ ସେ ରାଗି କି ପୂରା ଗାଁରେ ନିଆଁ ଲଗାଇଦେଲେ।

ଏନେଇ କାଳୀ ଥାନାରେ ଅଭିଯୋଗ କରିବା ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ନିଜର ସୁରକ୍ଷା ପାଇଁ ନିବେଦନ କରିଛନ୍ତି।

Share