ରାୟଗଡ଼ା,୧୦ା୫(ସ୍ବ.ପ୍ର.): ଭୋଜି ଖାଇବାକୁ ଯାଇଥିବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ପଥର ଫିଙ୍ଗାଫିଙ୍ଗି ହେବାରୁ ବୁଧବାର ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୁରୁମପେଟାରେ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ସୁରି ପଞ୍ଚାୟତର କୋମୁଗୁଡ଼ା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଲୋକ ଚାନ୍ଦିଲି ଥାନା ଅନ୍ତର୍ଗତ କୁରୁମପେଟା ଗ୍ରାମକୁ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଉକ୍ତ ଭୋଜି ସମୟରେ କୁରୁମପେଟା ଗ୍ରାମର ଜିଆନା ତାଡ଼ିଙ୍ଗିଙ୍କ ଓ ତାଙ୍କ ସ୍ତ୍ରୀ ପୂର୍ଣାଲୁଙ୍କ ମଧ୍ୟରେ କଳହ ହୋଇଥିଲା। ଏହି ସମୟରେ ଜିଆନା ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ପୂର୍ଣାଲୁଙ୍କ ଉପରକୁ ଇଟା ଫିଙ୍ଗିଥିଲେ। ତେବେ ଉକ୍ତ ଇଟା ପୂର୍ଣାଲୁଙ୍କ ଉପରେ ବାଜିବା ବଦଳରେ କୋମୁଗୁଡ଼ା ଗ୍ରାମରୁ ଭୋଜିକୁ ଯାଇଥିବା ହରି କାଡ୍ରାକାଙ୍କ ୧୨ ବର୍ଷର ଝିଅ ରୋଜିଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ରୋଜି ଟଳିପଡ଼ିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ରୋଜିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ରୋଜିଙ୍କ ପରିବାର ଲୋକେ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜିଆନାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।