
ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): ଦିନକୁ ଦିନ କଳାହାଣ୍ଡି ଜିଲା ତଥା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧିବାସୀ ଗରିବ ଖଟିଖିଆ ଦିନମଜୁରିଆ ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ କେବେ ଶବ ହୋଇ ଫେରୁଛନ୍ତି ତ ଆଉ କେବେ କୁଆଡ଼େ ନିଖୋଜ ହୋଇଯାଉଛନ୍ତି। ସରକାର ଦାଦନ ରୋକିବାକୁ କୋଟି କୋଟି ଟଙ୍କାର ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି ସତ ହେଲେ ଏହି ଦୁର୍ଗମ ଅଞ୍ଚଳରେ ତାହା ବାଟମାରଣା ହେଉଥିବା ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥାଏ। ଏଠାରେ ଯେଉଁ ଗରିବକୁ ସେହି ଗରିବ। ଖାଲି ଠିକାଦାର, କୁଜିନେତା ଏବଂ ସରକାରୀ ବାବୁମାନେ ହିଁ ମାଲାମାଲ ହୁଅନ୍ତି।
ଏଠାରେ ଜିଲା ଶ୍ରମ ବିଭାଗ କିମ୍ବା ରାଜ୍ୟ ସରକାର ଦାଦନ ରୋକିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ଏଭଳି ଏକ ଦାଦନ ଦୁଃଖ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ପଞ୍ଚାୟତ ଚମ୍ପାଛୁଆଁ ଗ୍ରାମରେ। ଉକ୍ତ ଗ୍ରାମର ରାଏ ସିଂ ମାଝୀ ଏବଂ ତାଙ୍କ ଗ୍ରାମର ଆଉ ଦୁଇ ଜଣ ବ୍ୟକ୍ତି ଦାଦନ ଖଟିବାକୁ ଗତ ୧୯.୦୨.୨୦୨୫ରେ ଆନ୍ଧ୍ରପ୍ରଦେଶସ୍ଥିତ ବିଶାଖାପାଟନମର ଲାଇଞ୍ଜେଲ ପାଲମ ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ହେଲେ ଗତ ୫ଦିନ ହେବ ରାଇଏ ସିଂ ନିଖୋଜ ଥିବା ତାଙ୍କ ସାଙ୍ଗରେ ଯାଇଥିବା ଦୁଇ ଜଣ ଶ୍ରମିକ ଗାଁରେ ଥିବା ରାଏ ସିଂ ମାଝୀଙ୍କ ସ୍ତ୍ରୀକୁ ଫୋନ୍ କରି ଜଣାଇଥିବା ସହ ଉକ୍ତ କମ୍ପାନୀର ମାଲିକ ମଧ୍ୟ ତୁମ ସ୍ବାମୀ ମୋ’ ପାଖରେ ନାହିଁ ସେ ମୋ ଠାରୁ ଯାହା କାମକରିଥିବା ଟଙ୍କା ନେଇ କୁଆଡ଼େ ଚାଲିଯାଇଛି ବୋଲି ସୂଚନା ଦେବା ପରେ ତାଙ୍କ ସ୍ତ୍ରୀ ସୁଆଦେଇ ମାଝୀ ସ୍ବାମୀଙ୍କୁ ଖୋଜି ଆଣି ଦେବା ପାଇଁ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ଙ୍କୁ ପଚାରିବାରୁ ଆମ ଥାନା ଅଧୀନରେ ନିଖୋଜ ହୋଇ ନାହାନ୍ତି ଏଣୁ ଆମେ ନିଖୋଜ ମାମଲା ରୁଜୁ କରି ନାହୁଁ କିନ୍ତୁ ଆମେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଥାନା ସହ ଯୋଗାଯୋଗ କରୁଛୁ ଯେହେତୁ ସେଠାକାର ଘଟଣା ଆମ ପାଖକୁ କିଛି ଖବର ଆସିଲେ କହିବୁ ବୋଲି କହିଛନ୍ତି।