ନିଖୋଜ ଅଭିଯୋଗ ଦେଲା ୩ ମୃତଦେହର ପରିଚୟ

ରାଉରକେଲା ଅଫିସ,୧୧।୨: ସୁନ୍ଦରଗଡ଼ ଜିଲା କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ୩ ଜଣ ନାବାଳକଙ୍କ ପରିଚୟ ମିଳିଛି। ଉକ୍ତ ନାବାଳକମାନେ ହେଲେ ପ୍ଲାଣ୍ଟସାଇଟ ଥାନା ଅଧୀନ ଗୁରୁଦ୍ୱାରା ରୋଡ଼ ଅଞ୍ଚଳର ସୋନି ସୋନକର(୧୪), ସୁମିତ ସୋନକର(୧୧) ଓ ଗାନ୍ଧୀ ରୋଡ଼ ମଛଲି ବସ୍ତିର ଜ୍ଞାନେଶ୍ୱର ଚୌଧୁରୀ(୧୨)।
ସୋନିଙ୍କ ବାପା କୁଲଦୀପ ସୋନକରଙ୍କ ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ୨ପୁଅ ଘର ପାଖ ଅଞ୍ଚଳରେ ଖେଳିବାକୁ କହି ଯାଇଥିଲେ। ସନ୍ଧ୍ୟା ହେବାରୁ ଦୁଇଜଣ ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ସେମାନଙ୍କ ସନ୍ଧାନ ନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ପରେ ତିନି ନାବାଳକଙ୍କ ମୃତଦେହ କୋଏଲ ନଦୀରୁ ଉଦ୍ଧାର ହୋଇଥିବା ନେଇ ପୋଲିସ ସୂଚନା ଦେଇଥିଲା ବୋଲି କୁଲଦୀପ କହିଛନ୍ତି। ସେହିପରି ଜ୍ଞାନେଶ୍ୱର ମଙ୍ଗଳବାର ମଧ୍ୟାହ୍ନରେ ସାଙ୍ଗ ଘରକୁ ଯିବାକୁ କହି ଘରୁ ବାହାରିଥିଲେ। ରାତି ହେବାରୁ ଘରକୁ ନ ଫେରିବାରୁ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି ଉମାଶଙ୍କର କହିଛନ୍ତି। ପୋଲିସ ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ୩ ଜଣ ନାବାଳକ କୋଏଲ ନଦୀର ଭାଟାବସ୍ତି ଘାଟକୁ ଗାଧୋଇବା ପାଇଁ ଯାଇ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାତାରେ ୩ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମୃତକଙ୍କ କୌଣସି ପରିଚୟ ମିଳି ନ ଥିଲା ବେଳେ ପୋଲିସ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସ୍‌ରେ ମୃତଦେହ ରଖି ତଦନ୍ତ କରୁଥିଲା ।

Share