ଆଲୋକୀକରଣ ହେଲା କଟକ-ପୁରୀ ବାଇପାସ୍‌

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୪ା୨(ଡି.ଏନ୍‌.ଏ.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ସାଇମନ୍ଦିର ଛକଠାରେ କଟକ-ପୁରୀ ବାଇପାସ୍‌ ରୋଡ୍‌ରେ ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ଏହି ବ୍ୟବସ୍ଥା ବାଇପାସ୍‌ ରୋଡ୍‌ର ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କି.ମି. ରାସ୍ତାରେ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ କମିବା ସହିତ ଚୋରି ଓ ଲୁଟ୍‌ପାଟ ଭଳି ଆପରାଧିକ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏଥିରେ ୩୮୭ ଖୁଣ୍ଟିରେ ୧୨୦ ଓ୍ବାଟ୍‌ ବିଶିଷ୍ଟ ୭୭୪ ଏଲ୍‌ଇ଼ଡି ଲାଇଟ ଲଗାଯାଇଛି। ଲିଙ୍ଗିପୁର, କେଶୁରା ଓ ପାଣ୍ଡରାଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ବିଏମ୍‌ସି ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜ୍ୱଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share