ବୋଉର ଝୋଟି ଦେଖି ଦେଖି ଆତ୍ମବିଭୋର ହେଉଥିବା ଜୟଶ୍ରୀ ଜେନା ପରବର୍ତ୍ତୀ ସମୟରେ ଜଣେ ଚିତ୍ର ଶିଳ୍ପୀ ହେବାର ସ୍ବପ୍ନ ଦେଖନ୍ତି। ଆଉ ଏହି ସ୍ବପ୍ନ ପରବର୍ତ୍ତୀ
ସମୟରେ ତାଙ୍କ ପରିଚୟ ପାଲଟିଯାଏ..
ଚିତ୍ରରେ ଦିଅନ୍ତି ସେ ଶାନ୍ତି, ପ୍ରେମ ଓ ସମାଜ ସଂସ୍କାରର ବାର୍ତ୍ତା। ସେ ହେଲେ ଚିତ୍ରଶିଳ୍ପୀ ତଥା କଳା ଶିକ୍ଷୟିତ୍ରୀ ଜୟଶ୍ରୀ ଜେନା। ଜନ୍ମ ୨ା୬ା୧୯୮୪ରେ। ପିତା କୃଷ୍ଣଚନ୍ଦ୍ର ଜେନା, ମାତା ଲିଲି ଜେନା। ଘର ପୁରୀ ଜିଲା ପିପିଲି ଅଞ୍ଚଳର ମଧୁପୁର ଗାଁରେ । ସେ କୁହନ୍ତି, ଘରେ ମା’ ମାଣବସା ସମୟରେ ସୁନ୍ଦର ସୁନ୍ଦର ଝୋଟି ପକାଉଥିବାର ଦେଖି ଖୁସି ଲାଗୁଥିଲା। ଆଉ ମୁଁ ନିଜେ ଝୋଟି ପକାଇବାକୁ ଚେଷ୍ଟା କରୁଥିଲି। ଆଉ ସ୍କୁଲରେ ପଢିବାବେଳେ ଯାହା ଖାତାପତ୍ର ପାଉଥିଲି ଚିତ୍ର କରୁଥିଲି। ୨୦୦୪ ମସିହାରେ ବିଜେବି କଲେଜରେ ଅର୍ଥଶାସ୍ତ୍ର ଅନର୍ସରେ ପଢ଼ିବା ସମୟରେ ଚିତ୍ରଶିଳ୍ପୀ ହରିଶ୍ଚନ୍ଦ୍ର ସିହ୍ନାଙ୍କ ସଂସ୍ପର୍ଶରେ ଆସିଲି। ସେ ମୋତେ ଚିତ୍ର ଦୁନିଆରେ ପାଦ ଥାପିବା ପାଇଁ ପ୍ରେରଣା ଦେଇଥିଲେ। ତା’ପରେ ଚିତ୍ରଶିକ୍ଷା ପାଇଁ ମନ ବଳାଇଲି। ଗ୍ରାଜୁଏଶନ ପଢୁଥିବା ସମୟରେ ଚିତ୍ର ଶିଖିବା ପାଇଁ ଗଲି। ସେ କଥା ଆଜି ବି ମୋର ମନେଅଛି। ପରେ ଧଉଳି କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ ନାମ ଲେଖାଇଲି। ଏହି କଲେଜରେ ପଞ୍ଚାନନ ସାମଲ ସାର୍ ଏବଂ ପେଣ୍ଟିଂ ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦଳାଇଙ୍କ ପ୍ରୋତ୍ସାହନ ଓ ମାର୍ଗଦର୍ଶନ ପାଇଲି। ପ୍ରଥମେ କାନ୍ଭାସ୍ ଉପରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ରୂପଦେଲି। ତା’ପରେ ଆତତାୟୀ, ହିଂସା, ପରଶ୍ରୀକାତରତା ଏବଂ କ୍ରୂରତାକୁ ବର୍ଜନ କରିବା ସହ ଶାନ୍ତି ଓ ପ୍ରେମରେ ଯେପରି ସମାଜକୁ ବଦଳାଇ ହେବ ସେହି ପ୍ରକାରର ଭାବନାକୁ ଚିତ୍ରରେ ସ୍ଥାନ ଦେବାକୁ ପ୍ରୟାସ କରିଥିଲି । ଏମିତିରେ ଏ. କେ.-୪୭ – ଏ ଲଭ୍ ଷ୍ଟୋରୀର ସିରିଜ୍କୁ ନେଇ ଚିତ୍ର କରିଥିଲି। ଏହାଛଡ଼ା ଆଖପାଖ ପରିବେଶ ଓ ବିଭିନ୍ନ ଘଟଣାବଳୀକୁ ନେଇ ମୁଁ ଚିତ୍ର କରିଥାଏ। ଯାହା ସମାଜ ଉପରେ ଭଲ ପ୍ରଭାବ ପକାଇବା ସହ ମନରେ ସକରାତ୍ମକ ଭାବ ସୃଷ୍ଟି କରୁଥିବ। ଏମିତିରେ ୨୦୦୯ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଦ୍ୱାରା ସ୍କଲାରଶିପ୍ ପାଇଲି। ୨୦୦୪ରୁ ୨୦୦୮ ମଧ୍ୟରେ ଧଉଳି କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟର ବିଭିନ୍ନ ସମୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ଯୋଗଦେଇଛି। ସେହିପରି ନୂଆଦିଲ୍ଲୀ, ମୁମ୍ବାଇ, ଗୋଆ, କୋଲ୍କାତା, ଚଣ୍ଡିଗଡ଼ ଆଦି ଠାରେ ଚିତ୍ରକଳା ପ୍ରଦର୍ଶନ କରିଛି। ଧଉଳି ଆର୍ଟ କଲେଜ, ମଡର୍ନ ଆର୍ଟ ଗ୍ୟାଲେରି ସମେତ କେତେକ ସଂସ୍ଥାରୁ ପୁରସ୍କୃତ ହୋଇପାରିଛି। ଏଯାଏ ପ୍ରକୃତିକୁ ନେଇ ୩ ଶହରୁ ଊର୍ଦ୍ଧ୍ୱ ଚିତ୍ର କରିସାରିଲିଣି। ବର୍ତ୍ତମାନ ୨୦୧୧ରୁ କେନ୍ଦ୍ରୀୟ ବିଦ୍ୟାଳୟ(ନଂ.୬)ରେ କଳା ଅଧ୍ୟାପିକା ଭାବେ କାର୍ଯ୍ୟରତ। ମତେ ସ୍ବାଧୀନ ଭାବେ ନିଜସ୍ବ ଶୈଳୀରେ କାନ୍ଭାସ୍ରେ ଚିତ୍ର କରିବାକୁ ଖୁବ୍ ଭଲ ଲାଗେ। ସମାଜରେ ଜଣେ ଚିତ୍ରଶିଳ୍ପୀ ଭାବେ ପରିଚୟ ପାଇପାରିଥିବାରୁ ମତେ ଆତ୍ମସନ୍ତୋଷ ମିଳୁଛି। -ବନବିହାରୀ