ନ୍ୟାୟ ଦେବାରେ ପୋଲିସର ପକ୍ଷପାତିତା

ପାଣିକୋଇଲି,୨୪।୧୧(ଡି.ଏନ.ଏ.): ଦଳିତଙ୍କୁ ନିର୍ଯାତନା ଓ ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲା ଦଳିତ ସଂଘ ପକ୍ଷରୁ ମଙ୍ଗଳବାର ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ପ୍ରାରମ୍ଭରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ଥାନା ସମ୍ମୁଖରେ ପହଞ୍ଚତ୍ ଥିଲା। ସେଠାରେ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଏସ୍‌ଡିପିଓ ଚିନ୍ମୟ ନାୟକ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ ସମଗ୍ର ଯାଜପୁର ଜିଲାରେ ଦଳିତ-ଆଦିବାସୀ ପଛୁଆବର୍ଗଙ୍କ ଉପରେ ଜାତିଗତ ନିର୍ଯାତନା ବଢି ଚାଲିଛି। ପ୍ରଶାସନିକ ଅଧିକାରୀମାନେ ସାମ୍ବିଧାନିକ ଆଇନ କାର୍ଯ୍ୟକାରୀ କରୁନାହାନ୍ତି। ଏପରି ଏକ ଘଟଣା ପାଣିକୋଇଲି ଥାନା କରଦା ପଞ୍ଚାୟତରେ ଗତ ଅକ୍ଟୋବର ୨୭ରେ ଘଟିଛି। ଜଣେ ଭିନ୍ନକ୍ଷମ ଦଳିତ ବ୍ୟକ୍ତି ସୁବାସ ମଲିକଙ୍କୁ ସରପଞ୍ଚ ଗଣେଶ ସାହୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ପାଣିକୋଇଲି ଥାନାରେ ମାମଲା ରୁଜୁ ନ ହେବାରୁ ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ବାଧ୍ୟ ହୋଇ ଜାତିଗତ ନିର୍ଯାତନା ନିବାରଣ ଆଇନରେ ଏକ ମାମଲା(ନଂ.୨୮୪/୨୧)ରୁଜୁ କରିଥିଲା। ଏସ୍‌ପିଙ୍କ ଆଦେଶକୁ ତଦନ୍ତକାରୀ ଅଧିକାରୀ ବେଖାତିର କରି ପକ୍ଷପାତିତା କରିବା ଓ ଆକ୍ରମଣକାରୀଙ୍କୁ ଗିରଫ ନ କରିବାରୁ ଜିଲା ଦଳିତ ସଂଘ ବାଧ୍ୟ ହୋଇ ଜନଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା। କୋରେଇ ଥାନାରେ ରୁଜୁ ଅନ୍ୟ ଏକ ମାମଲା(ନଂ.୨୮୯/୨୧)ରେ ଜଣେ ଗର୍ଭବତୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ା ସେ ରକ୍ତାକ୍ତ ହୋଇଥିଲେ ମଧ୍ୟ ପୋଲିସ ୩୦୭ ଭଳି ଦଫା ଲଗାଉ ନାହିଁ । ଅଭିଯୁକ୍ତମାନେ ୪ମାସ ହେବ ବୁଲୁଛନ୍ତି । ସେମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ା ଏହି ଆନ୍ଦୋଳନରେ ମିଳିତ ସଂଘର ରାଜ୍ୟ ନେତା ମନୋରଞ୍ଜନ ଜେନା, ଜିଲା ସମ୍ପାଦକ ବଳରାମ କାଣ୍ଡି, ଯଶୋବନ୍ତ ଜେନା, ବିଜୟ କୁମାର ଜେନା, ସୂର୍ଯ୍ୟମଣି ଜେନା, ସୁବାସ ମଲ୍ଲିକ, ସହଦେବ ଜେନାଙ୍କ ସମେତ ଶତାଧିକ ଦଳିତ ଯୋଗଦେଇଥିଲେ।

Share