ଅତିରିକ୍ତ ବଜେଟ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ୨୦୨୦-୨୧ରେ ଅତିରିକ୍ତ ବଜେଟରେ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୬୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ସ୍ବାସ୍ଥ୍ୟସେବା ମିଶନ ଅଧୀନ ମେଡିକାଲ କଲେଜ, ପ୍ରାଥମିକ, ମାଧ୍ୟମିକ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ସ୍ବାସ୍ଥ୍ୟକ୍ଷେତ୍ରରେ ଆନୁଷଙ୍ଗିକ ସେବାଗୁଡ଼ିକୁ ସୁଦୃଢ଼ କରିବା ସକାଶେ ୪୦୯ କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୧୨ କୋଟି ବ୍ୟୟବରାଦ କରାଯାଇଛି। ସେଥିରୁ ଔଷଧ ପାଇଁ ୩୩୦ କୋଟି, ଆପାତକାଳୀନ ଆମ୍ବୁଲାନ୍ସ ସେବା ଲାଗି ୫୧ କୋଟି ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ମେଡିକାଲ ଶିକ୍ଷା ପାଇଁ ଯନ୍ତ୍ରପାତି କ୍ରୟ ନିମନ୍ତେ ୨୨୭ କୋଟି, ଆୟୁଷ ଯୋଜନା ଅଧୀନରେ ଆୟୁଷ ସେବା ପାଇଁ ୨୬ କୋଟି ବ୍ୟୟବରାଦ ହୋଇଛି। ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ପାଇଁ ମୋଟ ୨୦୬୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୧୫୧୪ କୋଟି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ୫୦୦ କୋଟି, ଆମ ଗାଁ ଆମ ବିକାଶ ପିଠା ଯୋଜନାକୁ ୧୮ କୋଟି, ଜାତୀୟ ଜୀବିକା ମିଶନ ପାଇଁ ୯ କୋଟି ଖର୍ଚ୍ଚ ଆକଳନ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିମନ୍ତେ ୧୦୭୭ କୋଟି ବ୍ୟବସ୍ଥା କରାଯାଇଛି। ସେଥିରୁ କୋଭିଡ୍‌-୧୯ ସହାୟତା ଓ ଟଙ୍କିକିଆ ଚାଉଳ ପାଇଁ ୧୦୬୭ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ପାଇଁ ୫୮୦ ଏବଂ ଅଣସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ୧୩୫ କୋଟି ବ୍ୟୟବରାଦ କରାଯାଇଛି। ଅନୁରୂପ ଭାବେ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ୨୯୦ କୋଟି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ ପାଇଁ ୬୨ କୋଟି ଏବଂ ଏମ୍‌ଏସ୍‌ଏମ୍‌ଇ ବିକାଶ ପାଇଁ ୫୫ କୋଟି ଟଙ୍କାର ବଜେଟ ଅଟକଳ କରାଯାଇଛି। ରାଜପଥ ବିକାଶ ପାଇଁ ବଜେଟରେ ୧୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ବିପର୍ଯ୍ୟୟ ଦ୍ୱାରା ନଷ୍ଟ ହୋଇଥିବା କୋଠାଗୁଡ଼ିକର ପୁନଃ ନିର୍ମାଣ ପାଇଁ ୨୬ କୋଟି, ପୋଷଣ ଯୋଜନା ପାଇଁ ୧୨ କୋଟି, ସାମାଜିକ ନିରାପତ୍ତା ପାଇଁ ୨୩ କୋଟି, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୨୩୦ କୋଟି ବ୍ୟୟବରାଦ କରାଯାଇଛି।

Share