Categories: ଜାତୀୟ

ଏଲ୍‌ଏସିରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ସୀମା ବିବାଦକୁ ନେଇ ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଏଲ୍‌ଏସିକୁ ଲାଗି ରହିଥିବା ଭାରତୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଆର୍‌ଓ (ବର୍ଡର ରୋଡ୍‌ସ ଅର୍ଗାନାଇଜେଶନ) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଲ୍‌ଏସି ଏବଂ ଏଲ୍‌ଓସିକୁ ଲାଗିଥିବା ଅଞ୍ଚଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ନେଇ ଏଥିରେ ସମୀକ୍ଷା କରାଯାଇଥିଲା। ସାଉଥ୍‌ ବ୍ଲକରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଆର୍‌ଓ ଡିଜି ଓ ଅନ୍ୟମାନେ ଯୋଗ ଦେଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୀମାଞ୍ଚଳରେ ସେନା ଯାତାୟାତ ସହଜ କରିବା ଲାଗି ଭିତ୍ତିଭୂମି କାର୍ଯ୍ୟ ଯୁଦ୍ଧକାଳୀନ ଭାବେ ଶେଷ କରିବା ଲାଗି ସିଂ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉ କି, ଉପାନ୍ତ ଅଞ୍ଚଳରେ ସେନାର ଉପସ୍ଥିତି ଲାଗି ରାସ୍ତା, ପୋଲ, ଟନେଲ, ଏୟାରଫିଲ୍ଡ ଆଦିର ନିର୍ମାଣ ଜାରିରହିଛି।

Share