ମାନ୍ୟତା ମିଳିଲେ ଗୁରୁତ୍ୱ ବଢ଼ିବ

ବାଲେଶ୍ୱର ଅଫିସ, ୨୧।୭: ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସରକାର ସମୁଦ୍ର ଉପକୂଳରେ ଜଙ୍ଗଲ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷ କରି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଜରିଆରେ ବନୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରକୃତିର ବରଦାନ ଭାବେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତକୁ ଲାଗିଥିବା ବଙ୍ଗୋପସାଗର ଅଞ୍ଚଳରେ ପ୍ରାୟ ୧୫୦ ଏକର ଜମିରେ ୮ରୁ ୧୦ବର୍ଷ ପୂର୍ବରୁ ଏକ ବିରାଟ ହେନ୍ତାଳ ବଣ ସୃଷ୍ଟି ହୋଇଛି। ସେଠାରେ କୁମ୍ଭୀରମାନଙ୍କର ଅଭୟାରଣ୍ୟ ପାଲଟିଗଲାଣି। ହେନ୍ତାଳ ବଣକୁ ଲାଗିଥିବା କଣ୍ଟିଆଚରା ନଦୀ ମୁହାଣରେ ମାଛ ଧରୁଥିବା ୪ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସେଠାରେ ବହୁ କୁମ୍ଭୀର, ବଡ଼ ବଡ଼ ସାପ, ସାମୁଦ୍ରିକ ଜନ୍ତୁ ଦେଖିଥିବା କୁହନ୍ତି। ଏହାର ପୁନରୁଦ୍ଧାର କରାଯାଇପାରିଲେ ଏକ ପ୍ରାକୃତିକ ମନୋହର ପର୍ଯ୍ୟଟନସ୍ଥଳୀ ହୋଇପାରିବ। ପିକନିକ୍‌ ଋତୁ ଆସିଲେ ଶତାଧିକ ପର୍ଯ୍ୟଟକ ଏଠାକୁ ଆସି ନଦୀ ଓ ସମୁଦ୍ରର ମିଳନସ୍ଥଳକୁ ଉପଭୋଗ କରିଥାନ୍ତି। ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱରଠାରୁ ଭଦ୍ରକ ଜିଲାର ସୀମା ତାଳପଦା ଅଞ୍ଚଳ ଦୀର୍ଘ ୭୦/୮୦ କି.ମି. ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ବଙ୍ଗୋପସାଗର ଉପକୂଳରେ ହେନ୍ତାଳ ବଣ, ଝାଉଁବଣ ସୃଷ୍ଟି କରାଯାଇଛି। ଜଳେଶ୍ୱର ଓ ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ୯୦ରୁ ଊର୍ଦ୍ଧ୍ୱ ଝାଉଁବଣ ସୃଷ୍ଟି
କରାଯାଇଥିବା ବେଳେ ହେନ୍ତାଳ ବଣ ପାଇଁ ବାଲେଶ୍ୱର ବନବିଭାଗ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ପଠାଯାଇଛି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଫେରିଛନ୍ତି। ଏହାସତ୍ତ୍ୱେ ଚୂଡାନ୍ତ ରିପୋର୍ଟ ଦେବାରେ ବାଧକ ସାଜିଛି ମହାମାରୀ କରୋନା। ତାଳପଦାର ହେନ୍ତାଳବଣକୁ ‘ବନୀ ଜଙ୍ଗଲ’ର ମାନ୍ୟତା ଦେଇ ଏହାର ପୁନରୁଦ୍ଧାର କରାଗଲେ ଇଞ୍ଚୁଡ଼ି, ତୁଣ୍ଡୁରା, ତାଳପଦା, ଶ୍ରୀଜଙ୍ଗ, ରସାଳପୁର, କୁଳିଗାଁ, ମହାରାଜପୁର ଆଦି ପଞ୍ଚାୟତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା କୁହନ୍ତି, ସରକାରଙ୍କର ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଯୋଜନା ଅନୁସାରେ ଚାନ୍ଦିପୁର ଏବଂ ଜଳେଶ୍ୱର ଉପକୂଳ ଅଞ୍ଚଳରେ ୯୦ରୁ ଊର୍ଦ୍ଧ୍ୱ ଝାଉଁ ଜଙ୍ଗଲ ସୃଷ୍ଟି ହେବା ସହ ଅନ୍ୟତ୍ର ବହୁ ଗଛ ଲଗାଯିବା କାର୍ଯ୍ୟ ହାତକୁ ନେଇଛୁ। ତାଳପଦା ନିକଟସ୍ଥ ହେନ୍ତାଳ ବଣକୁ ପୁନରୁଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଭାବେ ଏକ ପ୍ରକଳ୍ପ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ମହାମାରୀ କରୋନା ପାଇଁ ଏଥିରେ ଅସୁବିଧା ସୃଷ୍ଟି ହୋଇଛି। ଅନୁମୋଦନ ପାଇଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ