ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂରରେ ଅବସ୍ଥିତ ଐତିହାସିକ ପୋତାଗଡ଼। ୪୦୦ ବର୍ଷ ପୂର୍ବ ତଥା ବ୍ରିଟିଶ ଅମଳରୁ ନିର୍ମିିତ ଏହି ପୋତାଗଡ଼ ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିଲା। ଏହାର ପୁନରୁଦ୍ଧାର ପାଇଁ ସହରବାସୀ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ତତ୍କାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକଙ୍କ ପ୍ରଚେଷ୍ଟା ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ପ୍ରତ୍ନତତ୍ତ୍ୱ ବିଭାଗ ଗସ୍ତ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଟଙ୍କାରେ ଫୁଡ୍ ପ୍ଲାଜା, ଶିଶୁ ଉଦ୍ୟାନ, ବୋଟିଂ କ୍ଲବ, ଆକର୍ଷଣୀୟ ମୁଖ୍ୟ ଫାଟକ ନିର୍ମାଣ ହେବ ତାହା ପୁଣି ଏକ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ପର୍ଯ୍ୟଟକଙ୍କ ନିମନ୍ତେ ରାତ୍ର ରହଣି, ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରାତଃଭ୍ରମଣ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଥିବା ତହସିଲଦାର ଅରୁଣ ନାୟକ ସୂଚନା ଦେଇଛନ୍ତି।