ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଦୁଇଟି ମନ୍ଦିରର ଉନ୍ନତିକରଣ ପାଇଁ ଶନିବାର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ବିଧାୟକ ଉକ୍ତ ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତରେ ଥିବା ମା’ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚିଥିଲେ ସେଠାରେ ମନ୍ଦିର କମିଟିର କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ ବିଧାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ବିରାଟ ଶୋଭାଯାତ୍ରାରେ ପହଞ୍ଚି ଭିତ୍ତିପ୍ରସ୍ତର କରିବା ସହ ଶୀଘ୍ର ମନ୍ଦିରର ଉନ୍ନୟନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ୯ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବିଧାୟକ ପ୍ରକାଶ କରିଥିଲେ। ସେହିପରି ବିଧାୟକ ଓ ଅନ୍ୟ ଅତିଥିମାନେ ଦାରିଙ୍ଗବାଡ଼ିଠାରେ ଥିବା ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ୮ ଲକ୍ଷ ଅନୁଦାନରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭିତ୍ତିପ୍ରସ୍ତର କରିଥିଲେ। ସେଠାରେ ମଧ୍ୟ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର କୁମାର ସାହୁ, ପତିତପାବନ ରାଉତ, ଭଗବାନ ସାହୁ, ବାପି ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ ଅତିଥିଙ୍କୁ ସ୍ବାଗତ କରି ମନ୍ଦିର ମଧ୍ୟକୁ ନେଇଥିଲେ। ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଭିତ୍ତିପ୍ରସ୍ତର କରାଯାଇଥିଲା। ରାଜ୍ୟ ସରକାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏହି ଦୁଇଟି ମନ୍ଦିର ସମେତ ଦାରିଙ୍ଗବାଡ଼ିର ଏକ ପାହାଡ଼ ଉପରେ ରହିଥିବା ହନୁମାନବାଟିକା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୯ ଲକ୍ଷ ଅନୁଦାନ ରହିଥିବା ବିଧାୟକ ସାଲୁଗା ପ୍ରଧାନ କହିଥିଲେ। ମୋଟ୍ ୨୩ ଟି ପ୍ରକଳ୍ପ ପାଇଁ ୨ କୋଟି ଅନୁଦାନ ରହିଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ଓ ବିଧାୟକଙ୍କ ଶତାଧିକ ସମର୍ଥକ ଉପସ୍ଥିତ ରହିଥିଲେ।