ବୋହୂକୁ ଖାଇବାକୁ ଦେଉ ନାହାନ୍ତି ଶାଶୁ ଘର ଲୋକେ

ବ୍ରହ୍ମପୁର ଅଫିସ,୧୧ା୩: ବ୍ରହ୍ମପୁରର ଜଣେ ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନାହିଁ। ଗୁରୁବାର ପୁଣି ବ୍ରହ୍ମପୁର ସ୍ଥିତ ଶାଶୁଘର ସମ୍ମୁଖରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ଝିଅଙ୍କ ପରିବାର ଲୋକ ଶାଶୁଘର ଲୋକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ଉପର ମହଲାରେ ରହୁଥିବା ବୋହୂଙ୍କୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଥିବା ଓ ଖାଇବାକୁ ଦିଆଯାଉ ନ ଥିବା ଗଣମାଧ୍ୟମ ଆଗରେ କହିଥିଲେ। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ପ୍ରମୁଖ ପହଞ୍ଚି ସମସ୍ୟା ସମାଧାନ କରିଥିଲେ। ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କ ବିବାଦକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଣୁ ପ୍ରତିଦିନ ଏଭଳି ଗଣ୍ଡଗୋଳ ନ କରିବାକୁ ପୋଲିସ ତାଗିଦ କରିଥିଲା। ସେପଟେ ଶ୍ୱଶୁରଘର ପକ୍ଷରୁ ଏହି ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି।
ସୂଚନା ଅନୁଯାୟୀ, ୨୦୧୫ରେ ରଣ୍ଢା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବ୍ରହ୍ମପୁର ବାଞ୍ଛାନିଧିନଗର ଅଞ୍ଚଳର ଜଣେ ଡାକ୍ତରଙ୍କ ବିବାହ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ବିବାଦ ପରେ ମହିଳା ଜଣକ ଶାଶୁଘର ଛାଡ଼ି ନିଜ ବାପଘରକୁ ଚାଲିଯାଇଥିଲେ। କିଛିଦିନ ତଳେ ମହିଳା ଜଣକ ଜଣେ ନାରୀନେତ୍ରୀଙ୍କ ସହଯୋଗରେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ମହିଳା ଦିବସରେ ଶାଶୁଘର ସମ୍ମୁଖରେ ମହିଳା ଜଣକ ଧାରଣା ଦେଇଥିଲେ। ଶାଶୁଘର ଲୋକ କବାଟ ନ ଖୋଲିବାରୁ ମଙ୍ଗଳବାର ଘର ଉପର ମହଲାକୁ ଯାଇ ସେ ରହିଥିଲେ। ବୋହୂଙ୍କୁ ଖାଇବାକୁ ଦିଆଯାଉ ନ ଥିବା ଅଭିଯୋଗ କରି ଗୁରୁବାର ନାରୀନେତ୍ରୀ ଓ ଝିଅଙ୍କ ପରିବାରବର୍ଗ ବାଞ୍ଛାନିଧିନଗରରେ ପହଞ୍ଚି ତାଙ୍କୁ ଖାଇବାକୁ ଦେଇଥିବା ଜଣାପଡିଛି।

Share