ହେଲ୍‌ମେଟ ପାଇଁ ଗର୍ଭବତୀଙ୍କୁ ରାସ୍ତାରେ ଚଲାଇବା ଘଟଣା: ଥାନା ଓଆଇସିଙ୍କୁ ବହିଷ୍କାର ଲାଗି ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୫।୪(ବ୍ୟୁରୋ): ହେଲମେଟ୍‌ ପିନ୍ଧି ନ ଥିବାରୁ ମୟୂରଭଞ୍ଜ ଜିଲା ଶରତ ଥାନାର ଓଆଇସି ରୀନା ବକ୍ସଲା ଜଣେ ୮ମାସର ଗର୍ଭବତୀଙ୍କୁ ୩ କି.ମି. ଚଲାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଓଆଇସିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ନିର୍ଯାତନାର ଶିକାର ଦମ୍ପତିଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଏହି କ୍ଷତିପୂରଣ ରାଶି ସମ୍ପୃକ୍ତ ପୋଲିସ ଅଫିସରଙ୍କ ନିକଟରୁ ଆଦାୟ କରିବାକୁ ମାନବାଧିକାର କର୍ମୀ ଜୟନ୍ତ ଦାସ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଘଟଣାକୁ ଗୁରୁତ୍ୱର ସହ ନେଇ ପିଟିଶନ ଗ୍ରହଣ କରିଛନ୍ତି।
ସୂଚନା ଯୋଗ୍ୟ, ଗତ ୨୮ ତାରିଖରେ ଶରତ ଥାନା ବେଗୁନିଆ ଛକରେ ହେଲମେଟ୍‌ ଯାଞ୍ଚ ଚାଲିଥିଲା। ଏହି ସମୟରେ ବିକ୍ରମ ବିରୁଲି ତାଙ୍କ ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ଚେକ୍‌ଅପ୍‌ ପାଇଁ ବାଇକ୍‌ରେ ଉଦଳା ଡାକ୍ତରଖାନା ନେଉଥିଲେ। ବିକ୍ରମ ମାସ୍କ ଓ ହେଲମେଟ୍‌ ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ହେଲମେଟ୍‌ ପିନ୍ଧି ନ ଥିଲେ। ଓଆଇସି ରୀନା ସେମାନଙ୍କୁ ଅଟକାଇ ଚାଲାଣ କାଟିଥିଲେ। ଜରିମାନା ଦେବାକୁ ବିକ୍ରମଙ୍କ ନିକଟରେ ଟଙ୍କା ନ ଥିବାରୁ ଓଆଇସି ବିକ୍ରମଙ୍କୁ ଜିପ୍‌ରେ ବସାଇ ଥାନାକୁ ନେଇଯାଇଥିଲା। ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ମଧ୍ୟ ସାଙ୍ଗରେ ନେଇଯିବା ପାଇଁ ବିକ୍ରମ ଓଆଇସିଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ଏହା ନ ଶୁଣି ବିକ୍ରମଙ୍କୁ ଥାନାକୁ ନେଇ ୩ଘଣ୍ଟା ଅଟକ ରଖିଥିଲେ। ଅନ୍ୟପଟେ ସ୍ବାମୀଙ୍କୁ ଖୋଜି ଖୋଜି ଗୁରୁବାରୀ ପ୍ରଚଣ୍ଡ ଖରାରେ ୩ କି.ମି. ଚାଲି ଚାଲି ଥାନାରେ ପହଞ୍ଚତ୍ବା ପରେ ଅସୁସ୍ଥ ହୋଇପଡିଥିଲେ। ଥାନାରୁ ଫେରିବା ପରେ ଏ ସମ୍ପର୍କରେ ସ୍ବାମୀସ୍ତ୍ରୀ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ମୟୂରଭଞ୍ଜ ଏସ୍‌ପି ସମ୍ପୃକ୍ତ ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରିବା ସହ ଦୁଇ କନ୍‌ଷ୍ଟେବଳଙ୍କୁ ଅନ୍ୟତ୍ର ବଦଳି କରିଥିଲେ।

Share