ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଜଣ ଗିରଫ

ହାଟଡିହୀ,୨୮୬(ଶୁଭକାନ୍ତ ନାୟକ): ପିଏଫ ଅନଲାଇନ ଆବେଦନକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗଣ୍ଡଗୋଳରେ ଦୋକାନ ଏବଂ ବାଇକ ପୋଡାଜଳା ସହ ଭଙ୍ଗାରୁଜା ହୋଇଥିଲା। ଜନ ସେବା କେନ୍ଦ୍ରର ମାଲିକ ଅମର ସେଠିଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅମରଙ୍କ ଭାଇ ଶରତ ସେଠିଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୦୯/୨୦୨୪ ଏବଂ ୧୪୭,୧୪୮,୧୪୯,୩୦୭,୩୨୩,୩୨୪,୪୨୭,୩୭୯,୫୦୬,୩୪ ଧାରାରେ ଏକ ମାମଲା ରୁଜୁ କରିଛି l ଜିଆର ନଂ ୩୩୭/୨୦୨୪ ଅଟେ।
ଶରତଙ୍କ ସୂଚନା ଅନୁସାରେ ପ୍ରତାପ ଯେନା, ଭଗବାନ ଯେନା, ତପୁ ଜେନା, ଲୋକନାଥ ଜେନା, ସିପେଇ ଜେନା, ଦାମୋଦର ଜେନା, ବିଜୟ ଜେନା,ଯୋଗେନ୍ଦ୍ର ଜେନା, ଦଶରଥ ଯେନା ପ୍ରମୁଖ ୯ ଜଣ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଛି । ଅପରପକ୍ଷେ ପୋଲିସ ଚଢ଼ାଉ କରି ଚଣ୍ଡିଆବିରଞ୍ଚିପୁର ଗ୍ରାମର ଦାମୋଦର ଯେନା, ବିଜୟ ଓରଫ ଲିପୁ ଯେନାଙ୍କୁ ଗିରଫ କରାଯାଇଛି l ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଭିଯୋଗକାରୀ ଶରତ ଦାବୀ କରିଛନ୍ତି । ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ ପାଇଁ ପଦକ୍ଷେପ ନିଆଯାଉଛି ।